କେନ୍ଦୁପତ୍ର ଉପରୁ ଜିଏସ୍‍ଟି ପ୍ରତ୍ୟାହାର ପାଇଁ ପୁଣି ଥରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ଦାବିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପୁଣି ଥରେ ଚିଠି ଲେଖିଛନ୍ତି । ରାଜ୍ୟର ୮ଲକ୍ଷ ଗରିବ କେନ୍ଦୁପତ୍ର ତୋଳାଳିଙ୍କ ସ୍ୱାର୍ଥରକ୍ଷା ପାଇଁ ଏହି ଲଘୁ ବନଜାତ ଦ୍ରବ୍ୟ ଉପରୁ ଜିଏସଟି ଛାଡ ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ରାଜ୍ୟର ୮ ଲକ୍ଷ କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ କର୍ମଚାରୀଙ୍କ ପାଇଁ କେନ୍ଦୁପତ୍ର ହେଉଛି ଅର୍ଥନୈତିକ ମେରୁଦଣ୍ଡ । ରାଜ୍ୟରେ ମୁଖ୍ୟତଃ ଆଦିବାସୀ ଓ ମହିଳାମାନେ ଏହି କାର୍ଯ୍ୟରେ ନିୟୋଜିତ ଥାଆନ୍ତି । କେନ୍ଦୁପତ୍ର ଉପରୁ ୧୮ପ୍ରତିଶତ ଜିଏସଟି ଆଦାୟ ହେଉଛି । ଏହା ସିଧାସଳଖ କେନ୍ଦୁପତ୍ର ତୋଳାଳି, କର୍ମଚାରୀ ଓ ବନ୍ଧାଳିଙ୍କ ସାମାଜିକ ସୁରକ୍ଷାକୁ ପ୍ରଭାବିତ କରୁଛି । ତେଣୁ କେନ୍ଦୁପତ୍ର ତୋଳାଳିଙ୍କ ସମୂହ ସ୍ୱାର୍ଥ ପାଇଁ କେନ୍ଦୁପତ୍ର ଉପରୁ ସଂପୂର୍ଣ୍ଣ ଜିଏସଟି ଛାଡ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି ।

ଏହାପୂର୍ବରୁ ଗତ ନଭେମ୍ବର ୨୫ତାରିଖରେ କେନ୍ଦ୍ରକୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ। ସଂସଦରେ ମଧ୍ୟ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ଼ ପାଇଁ ବିଜେଡି ସାଂସଦ ଦାବି ଉଠାଇଥିଲେ । ରାଜ୍ୟର ୮ଲକ୍ଷ ଗରିବ କେନ୍ଦୁପତ୍ର ତୋଳାଳିଙ୍କ ସ୍ବାର୍ଥ ରକ୍ଷା ପାଇଁ ଏହି ଲଘୁ ବନଜାତ ଦ୍ରବ୍ୟ ଉପରୁ ଜିଏସଟି ଛାଡ ପାଇଁ ଦାବି କରିଆସୁଛି ବିଜେଡି ।