‘ମଣିଷମାନେ ଏତେ ନିଷ୍ଠୁର?’ ଛାଡ଼ଖାଇରେ କାନ୍ଦୁଛନ୍ତି ଚିକେନ୍ ଆଉ ମଟନ୍, ଝରିଯାଉଛି ଲୁହ, ହେଲେ ବୁଝିବାକୁ କେହି ନାହିଁ….

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କାର୍ତ୍ତିକ ମାସ ହେଉଛି ଧର୍ମର ମାସ । ଏହି ମାସର ଶେଷ ପାଞ୍ଚ ଦିନ କାର୍ତ୍ତିକ ଶୁକ୍ଲ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପଞ୍ଚୁକ ଭାବେ ପାଳନ କରାଯାଇଥାଏ । ଅନେକ ଲୋକ କାର୍ତ୍ତିକ ମାସରେ ଆମିଷ ଖାଉ ନଥିବା ବେଳେ କିଛି ଲୋକ କେବଳ ପଞ୍ଚୁକରେ ତାହାକୁ ପାଳନ କରିଥାନ୍ତି । ପଞ୍ଚୁକ ପରଦିନ ଛାଡ଼ଖାଇ ପାଳନ କରାଯାଇଥାଏ । ଛାଡ଼ଖାଇରେ ଲୋକମାନେ ମାସ, ମାଂସ, ଚିକେନ, ମଟନରେ ବୁଡ଼ି ଯାଇଥାନ୍ତି । ୩୦ ଦିନ ଧରି ଆମିଷ ନ ଖାଇ ରହିଥିବା ଲୋକମାନେ ସତେ ଯେମିତି ଗୋଟିଏ ଯୁଗରୁ ଚିକେନ ନ ଦେଖିଲା ଭଳି ଆଚରଣ କରିଥାନ୍ତି ।

ତେବେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟବାସୀ କାର୍ତ୍ତିକ ମାସରେ ଆମିଷ ଛାଡ଼ିବା ସହ ପଞ୍ଚୁକ ମଧ୍ୟ ପାଳନ କରିଥିଲେ । ତେବେ ଏଥର କିନ୍ତୁ ଛାଡ଼ଖାଇରେ ଲୋକଙ୍କୁ ମିଳିଥିଲା ବଡ଼ ଝଟକା । ନଭେମ୍ବର ୧୫ ତାରିଖ ଶୁକ୍ରବାର ଦିନ ଚଳିତ ଥର କାର୍ତ୍ତିକ ମାସ ସରିଥିଲା । ଏହାର ପରଦିନ ଅର୍ଥାତ ୧୬ ତାରିଖ ଶନିବାର ଛାଡ଼ଖାଇ ହେବା କଥା । ମାତ୍ର ତାହା ହୋଇ ପାରିନଥିଲା । କାରଣ ଏଥର କାର୍ତ୍ତିକ ସରିବା ପରଦିନ ବିଛା ସଂକ୍ରାନ୍ତି ପଡ଼ିଥିଲା । ତେଣୁ ଲୋକମାନେ ଏଥର ସଂକ୍ରାନ୍ତି କାରଣରୁ ଶନିବାର ଦିନ ଛାଡ଼ଖାଇ ମନାଇ ପାରିନଥିଲେ । ତେବେ ଆଜି ରବିବାରରେ ଲୋକମାନେ ଘରକୁ, ଚିକେନ, ମଟନ, ମାଛ, ଚିଙ୍ଗୁଡ଼ି ଆଦି ବୋହି ନେଇଯାଇଥିଲେ । ସମସ୍ତଙ୍କ ଘରେ ଆମିଷ ଖାଦ୍ୟରେ ସତେ ଯେମିତି ମହୋତ୍ସବ ପାଳନ ହୋଇଥିଲା । ଆଜି ଆମିଷ ମାର୍କେଟରେ ପ୍ରବଳ ଗହଳି ଜମିଥିବା ବେଳେ ପରିବା ହାଟ କିନ୍ତୁ ଖାଁ ଖାଁ ହୋଇଯାଇଥିଲା । ଇଲିସିର ଦାମ ୧୮୦୦ ରହିଥିବା ବେଳେ ନଈ ଚିଙ୍ଗୁଡ଼ି ୪୦୦, କଙ୍କଡ଼ା ୨୦୦ରୁ ୧୬୦୦ ଟଙ୍କା ରହିଥିଲା । ଆଜି ଛାଡ଼ଖାଇ କାରଣରୁ ବେପାରୀମାନେ ସାଧାରଣ ଦାମଠାରୁ ୫୦-୧୦୦ ଟଙ୍କା ଅଧିକ ଦାମ୍ ବୃଦ୍ଧି କରିଥିଲେ ।

ତେବେ ଗୋଟିଏ ପଟେ ମଣିଷ ଛେଳି, କୁକୁଡ଼ାଙ୍କୁ ମାରି ଖୁସିରେ ଖାଇ ଚାଲିଥିବା ବେଳେ ବିନା ଦୋଷରେ ଜୀବନ ହରାଇଥିବା ଏହି ନିରୀହ ଜୀବମାନେ ସତେ ଯେମିତି ଲହୁ ଝରାଉଛନ୍ତି । ‘ଆମେମାନେ ତୁମର କି ଦୋଷ କରିଥିଲୁ, ଆମକୁ କାହିଁକି ମାରିଲ, ତୁମେ ମଣିଷମାନେ ବଡ଼ ନିଷ୍ଠୁର…’ ଏଭଳି କିଛି ସ୍ୱର ସତେ ଯେମିତି ଶୁଣିବାକୁ ମିଳୁଛି । ଏପରି ଲକ୍ଷାଧିକ ନିରୀହ ଜୀବଙ୍କ ଆଖିରୁ ଆଜି ଲୁହର ସାଗର ବହିଯାଇଥିଲେ ହେଁ ସେମାନଙ୍କ କଥା ଭାବିବାକୁ କେହି ନାହିଁ । ପ୍ରତିବର୍ଷ ପରି ଆସନ୍ତାବର୍ଷ ପୁଣି ଛାଡ଼ଖାଇ ଆସିବ, ପୁଣି ଅନେକ ନିରୀହ ଜୀବ ପ୍ରାଣ ହରାଇବେ । ଆଉ ପୁଣି ଥରେ ମଣିଷ ନିଷ୍ଠୁର ପାଲଟିବ । ତେବେ ଜୀବମାନେ କଥା କହିପାରୁ ନାହାନ୍ତି ବୋଲି ଆଜି ସେମାନଙ୍କ ଦୁଃଖ ବୁଝିବାକୁ କେହି ନାହାନ୍ତି । ଏମିତିକ କିଛି ବୋଧହୁଏ ଅଭିମାନ କରିଛନ୍ତି ଅନେକ ଜୀବ ।