fbpx

‘ଦିଲ ସେ ବୁରା ଲଗତା ହୈ’ ଡାଇଲଗ୍ କହୁଥିବା ଶିଶୁ କମେଡ଼ିଆନଙ୍କ ପରଲୋକ: ସଡ଼କ ଦୁର୍ଘଟଣାରେ ଦେବରାଜଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ‘ଦିଲ ସେ ବୁରା ଲଗତା ହୈ’ ଡାଇଲଗ୍ ମାଧ୍ୟମରେ କୋଟି କୋଟି ଲୋକଙ୍କ ମନକୁ ଜିତି ପାରିଥିବା ଶିଶୁ କମେଡ଼ିଆନ୍ ଆଉ ନାହାନ୍ତି । ନିଜର କମେଡ଼ି ଭିଡିଓ ପାଇଁ ବେଶ୍ ପରିଚିତ ଥିବା ଛତିଶଗଡ଼ର ଜଣାଶୁଣା କମେଡ଼ିଆନ୍ ଦେବରାଜ ପଟେଲ ଆଉ ନାହାନ୍ତି । ଏକ ସଡ଼କ ଦୁର୍ଘଟଣାରେ ଦେବରାଜଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ଦେବରାଜଙ୍କ ଅଚାନକ ମୃତ୍ୟୁକୁ ନେଇ ତାଙ୍କର ପ୍ରଶଂସକଙ୍କ ମହଲରେ ନିରାଶା ଖେଳିଯାଇଛି । ଦେବରାଜଙ୍କ ମୃତ୍ୟୁ ଖବର ପାଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । କମ୍ ବୟରେ ଦୁନିଆକୁ ଛାଡ଼ି ଚାଲିଯାଇଥିବା ଏପରି ଅଦ୍ଭୂତ ଶିଶୁ ପ୍ରତିଭାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ବଘେଲ ଦେବରାଜଙ୍କ ଏକ ଭିଡିଓ ଶେୟାର କରିଛନ୍ତି ।

ଦେବରାଜ ମହାସମୁଣ୍ଡ ଜିଲ୍ଲାରେ ରହୁଥିଲେ ହେଁ ଭିଡିଓ ଶୁଟିଂ କାରଣରୁ ସେ ଅଧିକାଂଶ ସମୟରେ ରାୟପୁରରେ ରହୁଥିଲେ । ଜଣେ ଅଭିନେତା, କମେଡ଼ିଆ, ୟୁଟ୍ୟୁବର ଭାବେ ଅଳ୍ପ ବୟସରେ ଦେବରାଜ ଖୁବ୍ ସୁନାମ ଅର୍ଜନ କରିପାରିଥିଲେ । ରାୟପୁରକୁ ଯିବା ସମୟରେ ଛତିଶଗଡ଼ରେ ସେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଦେବରାଜଙ୍କ ପିତା ଘନଶ୍ୟାମ ପଟେଲ ଜଣେ କୃଷକ ବୋଲି ଜଣାପଡ଼ିଛି । ଦେବରାଜଙ୍କ ‘ଭାଇ ଦିଲ ସେ ବୁରା ଲଗତା ହୈ’କୁ ମନେପକାଇ ଆଜି ବି ଦର୍ଶକ ହସିହସି ଗଡ଼ି ଯାଉଛନ୍ତି । ଏଭଳି ଏକ ଶିଶୁ ପ୍ରତିଭାଙ୍କ ଅମର ଆତ୍ମାର ସଦଗତି ହେଉ ।

Get real time updates directly on you device, subscribe now.