fbpx

ଓଡ଼ିଶାରେ ବଢ଼ୁଛି ଶିଶୁ ଚାଲାଣ: ୫ ବର୍ଷରେ ଚାଲାଣ ହୋଇଛନ୍ତି ୧୧୦୫ ଜଣ ପିଲା, କେନ୍ଦ୍ରମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି ୧୮ ବର୍ଷରୁ କମ୍ ବୟସର ଶିଶୁ ଚାଲାଣ । ଉଭୟ ନାବାଳକ ଓ ନାବାଳିକା ଏହାର ଶିକାର ହେଉଥିବା ଜଣାପଡ଼ିଛି । ଅନ୍ୟ ପଡ଼ୋଶୀ ରାଜ୍ୟମାନଙ୍କ ଅପେକ୍ଷା ଓଡ଼ିଶାରେ ଏହି ହାର ବୃଦ୍ଧି ପାଉଥିବା ଦେଖାଯାଉଛି । ନିକଟରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନ ରାଜ୍ୟସଭାରେ ଏନେଇ ତଥ୍ୟ ପ୍ରଦାନ କରିଛନ୍ତି । ୫ ବର୍ଷ ମଧ୍ୟରେ ରାଜ୍ୟରେ ଏକ ହଜାରରୁ ଅଧିକ ଶିଶୁ ଚାଲାଣ ହୋଇଥିବା ଜଣାପଡ଼ିଛି ।

କେନ୍ଦ୍ରମନ୍ତ୍ରୀଙ୍କ ତଥ୍ୟ ମୁତାବକ, ଗତ ୨୦୧୭ରୁ ୨୦୨୧ ମସିହା ମଧ୍ୟରେ ଓଡ଼ିଶାରେ ୧୧୦୫ ଜଣ ଶିଶୁଙ୍କୁ ଚାଲାଣ କରାଯାଇଛି । ୨୦୧୭ରେ ୧୧୭ ଜଣ ପିଲା ଚାଲାଣ ହୋଇଥିବା ବେଳେ ୨୦୨୧ରେ ତାହା ୪୯୭କୁ ବୃଦ୍ଧି ପାଇଥିଲା । ୨୦୧୭ରେ ସାରା ଦେଶରେ ୩ ହଜାର ୫୩୫ ଜଣ ପିଲା ଚାଲାଣ ହୋଇଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟରେ ଶିଶୁ ଚାଲାଣ ମାମଲା ହ୍ରାସ ଘଟିଥିଲା । ତା’ ପୂର୍ବରୁ ୨୦୧୮ରେ ଦେଶରେ ୨୭୭୨ ଜଣ, ୨୦୧୯ରେ ୨୮୬୩ ଜଣ, ୨୦୨୦ରେ ୨୨୨୨ ଜଣ ଓ ୨୦୨୧ରେ ୨୮୭୭ ଜଣ ଚାଲାଣ ହୋଇଥିଲେ ।

ରାଜ୍ୟରେ ୨୦୧୮ରେ ୧୩୧ ଜଣ, ୨୦୧୯ରେ ୨୦୨ ଜଣ, ୨୦୨୦ରେ ୧୫୯ ଜଣ ଚାଲାଣ ହୋଇଥିଲେ । ବିଶେଷ କରି କୋଭିଡ-୧୯ ମହାମାରୀ କାଳରେ ଅଧିକ ସଂଖ୍ୟକ ଶିଶୁଙ୍କୁ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଓଡ଼ିଶାରେ ଏହି ଚାଲାଣ ବଢ଼ୁଥିବା ବେଳେ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଏହି ସଂଖ୍ୟା ଅପେକ୍ଷାକୃତ କମ୍ ରହିଛି । ୨୦୧୭ରେ ଆନ୍ଧ୍ରରେ ୨୬ ଜଣ ଚାଲାଣ ହୋଇଥିବା ବେଳେ ୨୦୧୮, ୨୦୧୯ ଓ ୨୦୨୦ରେ ଏହି ସଂଖ୍ୟା ୨୫ ତଳେ ରହିଥିଲା । ତେବେ ଶିଶୁ ଚାଲାଣକୁ ରୋକିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିବା ମନ୍ତ୍ରୀ ଶ୍ରୀମତୀ ଇରାନୀ କହିଥିଲେ ।

Get real time updates directly on you device, subscribe now.