fbpx

‘ଚୀନ ୧୯୬୨ରୁ ପାଙ୍ଗଙ୍ଗ ହ୍ରଦ ଉପରେ ନିର୍ମାଣ କରୁଛି ପୋଲ, ୩୮ ହଜାର ବର୍ଗ କିମି ଉପରେ ରହିଛି ଡ୍ରାଗନର କବଜା’

ନୂଆଦିଲ୍ଲୀ: ଚୀନ ଦ୍ଵାରା ପାଙ୍ଗଙ୍ଗ ହ୍ରଦ ଉପରେ ୧୯୬୨ରୁ ଅବୈଧ କବଜା କରିଥିବା ଅଞ୍ଚଳରେ ଏକ ପୋଲ ନିର୍ମାଣ କରାଯାଉଛି। ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ଭି ମୁରଲୀଧରଣ ଶୁକ୍ରବାର ଲୋକସଭାରେ ଏହି ସୂଚନା ଦେଇଛନ୍ତି। ତେବେ ଭାରତ ସରକାର ଏହି ଅବୈଧ କବଜାକୁ କେବେ ସ୍ଵୀକାର କରିନଥିବା ମନ୍ତ୍ରୀ କହିଛନ୍ତି। ସଂସଦର ନିମ୍ନ ସଦନରେ ଏହି ସଂପର୍କିତ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ସରକାର ଚୀନ ଦ୍ଵାରା ପାଙ୍ଗଙ୍ଗ ହ୍ରଦ ଉପରେ ନିର୍ମାଣ କରୁଥିବା ପୋଲ ଉପରେ ନଜର ରଖିଛନ୍ତି।

ସେ କହିଛନ୍ତି ପୋଲ ନିର୍ମାଣ ସେହି ଅଞ୍ଚଳରେ ଜାରି ରହିଛି, ଯେଉଁଠି ୧୯୬୨ରେ ଚୀନ ଅବୈଧ କବଜା କରିଥିଲା। ଭାରତ ସରକାର ଏହି ଅବୈଧ କବଜାକୁ କେବେ ଚୀନର ଅଞ୍ଚଳ ବୋଲି ମାନ୍ୟତା ଦେଇ ନାହାନ୍ତି। କେନ୍ଦ୍ର ସରକାର ଅନେକ ମଞ୍ଚରେ ଏହା ସ୍ପଷ୍ଟ କରି ସାରିଛନ୍ତି ଯେ, କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର ଏବଂ ଲଦାଖ ଭ ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଆମେ ଆଶା କରୁଛୁ ଅନ୍ୟ ଦେଶ ଭାରତର ସାର୍ବଭୌମତା ଏବଂ କ୍ଷେତ୍ରୀୟ ଅଖଣ୍ଡତାର ସମ୍ମାନ କରିବେ।

ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ଭାରତ ସରକାର ଅରୁଣାଚଳ ପ୍ରଦେଶରେ ଚୀନ ଦ୍ଵାରା କିଛି ସ୍ଥାନର ନାମ ପରିବର୍ତ୍ତନ ଖବର ବିଷୟରେ ଅବଗତ ଅଛନ୍ତି। ଚୀନ ଦ୍ଵାରା ଏହା ଏକ ବ୍ୟର୍ଥ ପ୍ରୟାସ। ଏହି ତଥ୍ୟକୁ ବଦଳାଯାଇ ପାରିବ ନାହିଁ ଯେ, ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଙ୍ଗ ରହିଛି ଏବଂ ରହିଥିବ।

ଗତ ଛଅ ଦଶନ୍ଧିରୁ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ଭାରତୀୟ ଅଞ୍ଚଳର ପ୍ରାୟ ୩୮୦୦୦ ବର୍ଗ କିଲୋମିଟରରେ ଚୀନର ଅବୈଧ କବଜା ଜାରି ରହିଛି। ଏହି ତଥ୍ୟ ମଧ୍ୟ ଲୋକସଭାରେ ମନ୍ତ୍ରୀ ମୁରଲୀଧରଣ ଦେଇଛନ୍ତି। ୧୯୬୩ରେ ଚୀନ-ପାକିସ୍ତାନ ମଧ୍ୟରେ ସ୍ଵାକ୍ଷରିତ ତଥାକଥିତ ସୀମା ରାଜିନାମା ଆଧାରରେ ପାକିସ୍ତାନ ଲଦାଖରେ କବଜା କରିଥିବା ଶକ୍ସଗାମ ଘାଟିରେ ୫୧୮୦ ବର୍ଗ କିଲୋମିଟର ଭାରତୀୟ କ୍ଷେତ୍ରକୁ ଅବୈଧ ଭାବେ ଚୀନ ହାତରେ ଟେକି ଦେଇଛି।

ବହୁଜନ ସମାଜ ପାର୍ଟିର ସାଂସଦ ଶ୍ୟାମ ଯାଦବ ସିଂହଙ୍କ ପ୍ରଶ୍ନର ଉତ୍ତରରେ ମୁରଲୀଧରଣ କହିଛନ୍ତି, ଭାରତ ସରକାର ୧୯୬୩ରେ ତଥାକଥିତ ଚୀନ-ପାକିସ୍ତାନ ସୀମା ରାଜିନାମାକୁ କେବେ ବି ମାନ୍ୟତା ଦେଇ ନାହିଁ।

 

Get real time updates directly on you device, subscribe now.