ଓଡ଼ିଶା ଭାସ୍କର ବ୍ୟୁରୋ: ଆଫଗାନିସ୍ତାନକୁ ତାଲିବାନୀ ନିଜ ଅକ୍ତିଆରକୁ ନେବା ପରେ ଅନେକ ଦେଶ କାବୁଲରୁ ନିଜ ଦୂତାବାସ ବନ୍ଦ କରିଦେଇଛନ୍ତି । ଏଥିସହ ନିଜ ଦେଶର ନାଗରିକକୁ ସୁରକ୍ଷିତ ଫେରାଇବା ପାଇଁ ଉଦ୍ୟମ କରୁଛନ୍ତି । ଠିକ୍ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବିଦ୍ରୋହୀ ତାଲିବାନୀଙ୍କୁ ବନ୍ଧୁ ମାନ୍ୟତା ଦେବା ସହ ସେମାନଙ୍କୁ ସମର୍ଥନ ଘୋଷଣା କରିଛି ଚୀନ୍ । ଚୀନ ସରକାର ସୋମବାର ଘୋଷଣା କରିଛନ୍ତି ଯେ ତାଲିବାନ ସହ ସେମାନେ ବନ୍ଧୁତ୍ୱ ସମର୍କ ବୃଦ୍ଧି କରିବାକୁ ଚାହୁଛନ୍ତି । ଇସ୍ଲାମିକ୍ କଠୋରପନ୍ଥୀ ତାଲିବାନୀମାନେ କାବୁଲକୁ ନିଜ ଅକ୍ତିଆରକୁ ନେବାର ୨୪ ଘଣ୍ଟା ନପୂରୁଣୁ ଚୀନ ସରକାର ସେମାନଙ୍କୁ ବନ୍ଧୁତ୍ୱର ହାତ ବଢ଼ାଇବା ନେଇ ବିଶ୍ୱ ବ୍ୟାପି ଚର୍ଚ୍ଚା ଜୋର୍ ଧରିଛି ।
ଚୀନ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ହୁଆ ଚୁନୟିଙ୍ଗ୍ କହିଛନ୍ତି ଯେ ଆଫଗାନିସ୍ତାନର ନାଗରିକଙ୍କ ସ୍ୱତନ୍ତ୍ରତାପୂର୍ବକ ନିଜ ଭାଗ୍ୟ ନିର୍ଣ୍ଣୟ କରିବାର ଅଧିକାରକୁ ଚୀନ୍ ସମ୍ମାନ ଜଣାଉଛି । ଏଥିସହ ଆଫଗାନିସ୍ତାନ ସହ ବନ୍ଧୁତ୍ୱ ଓ ସହଯୋଗପୂର୍ଣ୍ଣ ସମ୍ପର୍କ ବଢ଼ାଇବାକୁ ଚାହୁଛୁ । ତେବେ ଖାଲି ଚୀନ୍ କାହିଁକି, ରୁଷ୍ ମଧ୍ୟ ତାଲିବାନ ସରକାରଙ୍କୁ ସମର୍ଥନ ଦେବାର ସଂକେତ ଦେଇସାରିଛି । ମଙ୍ଗଳବାର ରୁଷ୍ ରାଜଦୂତ ତାଲିବାନ ପ୍ରତିନିଧିମଣ୍ଡଳୀକୁ ଭେଟିବାକୁ ଯୋଜନା କରିଥିବାବେଳେ ଏହା ପରେ ଅନ୍ତିମ ନିଷ୍ପତ୍ତି ଜଣାପଡ଼ିବ । ଅନ୍ୟପକ୍ଷରେ ବ୍ରିଟେନ୍ ବିଶ୍ୱ ସମୂଦାୟକୁ ଅନୁରୋଧ କରିଛି ଯେ ତାଲିବାନ ସରକାରକୁ ସମ୍ମତି ଦିଅ ନାହିଁ । ତେବେ ଚୀନ କହିଛି ଯେ ତାଲିବାନ ବାରମ୍ବାର ଚୀନ ସରକାରଙ୍କଠାରୁ ଭଲ ସମ୍ପର୍କର ଆଶା କରିଆସୁଛି । ତେଣୁ ଆଫଗାନିସ୍ତାନର ବିକାଶ ଓ ପୁନଃନିର୍ମାଣ ପାଇଁ ଚୀନ ସହଯୋଗ କରିବ । ଏଥିସହ ଚୀନର କାବୁଲ ଦୂତାବାସ ଏବେ ମଧ୍ୟ କାର୍ଯ୍ୟ କରୁଥିବା ଚୀନ ପ୍ରବକ୍ତା ପ୍ରକାଶ କରିଛନ୍ତି ।
ଆଫଗାନିସ୍ତାନରୁ ଆମେରିକା ସେନା ଲେଉଟିବା ମଉକାରେ ବେଜିଂ ପକ୍ଷରୁ ତାଲିବାନ ସହ ଭଲ ସମ୍ପର୍କ ରଖାଯାଇଛି । ଚୀନର ୭୬ କିମି ସୀମା ଆଫଗାନିସ୍ତାନ ସହ ମିଶୁଛି । ସେହିପରି କିଛିଦିନ ତଳେ ତାଲିବାନି ପ୍ରତିନିଧି ମଣ୍ଡଳୀ ଚୀନର ବୈଦେଶିକ ମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ଆଉ ପ୍ରତିଶ୍ରୁତି ଦେଇଥିଲେ ଯେ ଆଫଗାନିସ୍ତାନକୁ ଆତଙ୍କୀମାନଙ୍କ ଆଡ୍ଡାସ୍ଥଳୀ ଭାବେ ବ୍ୟବହାର କରିବାକୁ ଦିଆଯିବନି । ଏହା ବଦଳରେ ଚୀନ୍ ଆର୍ଥିକ ସହଯୋଗ ଓ ନିବେଶ କରିବାର ଭରସା ଦେଇଥିଲା । ଅନ୍ୟପକ୍ଷରେ ରୁଷ୍ ମଧ୍ୟ ତୁରନ୍ତ ନିଷ୍ପତ୍ତି ନେଇପାରେ । ଆଫଗାନିସ୍ତାନ ସହ କିଭଳି ଆଭିମୁଖ୍ୟ ରଖିବ ରୁଷ୍, ତାହା ମଧ୍ୟ ବିଶ୍ୱ ସମୁଦାୟ ଚାହି ରହିଛନ୍ତି । ତେବେ ଏହି ଦୁଇଦେଶ ତାଲିବାନୀ ସରକାରଙ୍କୁ ସମର୍ଥନ ଦେଲେ ତାହା ଭାରତ ପାଇଁ ଏକ ବଡ଼ ଝଟକା ହେବ ବୋଲି ବିଶେଷଜ୍ଞ ମହଲରେ ଆଲୋଚନା ହେଉଛି । କାରଣ ଭାରତ କେବେ ଆତଙ୍କୀମାନଙ୍କ ସହ ସାଥ୍ ଦେଇନି କି ସମର୍ଥନ କରିଆସିନି। ତେଣୁ ତାଲିବାନକୁ ସମର୍ଥନ କରିବାର ପ୍ରଶ୍ନ ହିଁ ଉଠୁନି ।