fbpx

ଶୀତଦିନେ ଏହି ସ୍ଥାନରେ ନେଇପାରିବେ ବରଫ ମହୋତ୍ସବର ମଜା: ଜାଣନ୍ତୁ କ’ଣ ରହିଛି ବିଶେଷ ଆକର୍ଷଣ

Advertisement

ନୂଆଦିଲ୍ଲୀ: ଶୀତଋତୁରେ ଲୋକମାନେ ଘରେ ବସି ଉଷୁମ ଜିନିଷର ମଜା ନେଇଥାନ୍ତି । କିଏ ଚାହା ପିଇବାକୁ ପସନ୍ଦ କରିଥାଏ ତ’ କିଏ କମ୍ବଳ ଭିତରେ ରହିବାକୁ ମନ କରିଥାଏ । ସାରା ଦେଶ ଏହି ଋତୁରେ କିଛି ଉଷୁମ ଚାହୁଁଥିଲା ବେଳେ ଚୀନରେ ଏହି ସମୟରେ ପାଳନ କରାଯାଇଥାଏ ବରଫ ମହୋତ୍ସବ । ଉତ୍ତର-ପୂର୍ବ ଚୀନର ହିଲଂଜିଆଙ୍ଗ ପ୍ରଦେଶ ଅନ୍ତର୍ଗତ ହାର୍ବିନ ଠାରେ ଏହି ହାର୍ବିନ ଆନ୍ତର୍ଜାତୀୟ ବରଫ ଏବଂ ତୁଷାର ମହୋତ୍ସବ ଆରମ୍ଭ ହୋଇଯାଇଛି ।

ତେବେ ଏଠାରେ ବିଯୁକ୍ତ ୧୨ ଡିଗ୍ରିରୁ ବିଯୁକ୍ତ ୨୩ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ଖସିଆସିଥାଏ । ସେହି ସମୟରେ ହାର୍ବିନ ସହରରେ ଏହି ବରଫ ମହୋତ୍ସବ ପାଳନ କରାଯାଇଥାଏ । ଏହି ଉପଲକ୍ଷେ ବରଫ ନିର୍ମିତ ବଡ଼ ବଡ଼ ସ୍ଥାପତ୍ୟ ସବୁ ଏଠାରେ ପ୍ରଦର୍ଶିତ ହୋଇଥାଏ । ନିକଟସ୍ଥ ସୋଙ୍ଗୁଆ ନଦୀରୁ ସଂଗୃହୀତ ବରଫଖଣ୍ଡକୁ ବିଭିନ୍ନ ପ୍ରକାର ଅଟ୍ଟାଳିକା, ଗଛ ଆଦିର ଆକାର ଦିଆଯାଇଥାଏ । ପ୍ରାୟ ୧୫୦ ଏକର ପରିମିତ ଏହି ମହୋତ୍ସବ ଆସନ୍ତା ଜାନୁଆରୀ ୫ ତାରିଖରେ ଆନୁଷ୍ଠାନିକ ଭାବେ ଆୟୋଜିତ ହେବ । କିନ୍ତୁ ବର୍ତ୍ତମାନ ଏହା ୧୨ ଦିନ ପୂର୍ବରୁ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଛି ।

ଏହି ଭାସ୍କର୍ଯ୍ୟଗୁଡ଼ିକୁ ବିଭିନ୍ନ ପ୍ରକାର ଏବଂ ବିଭିନ୍ନ ରଙ୍ଗର ଏଲଇଡ଼ି ଲାଇଟ ଦ୍ୱାରା ସଜା ଯାଇଥାଏ । ଏଥି ସହିତ ଏଠାରେ ଖେଳିବା ପାଇଁ ବିଭିନ୍ନ ପ୍ରକାର ସ୍ପୋର୍ଟ୍ସ ମଧ୍ୟ ଆୟୋଜିତ କରାଯାଇଛି । ଦର୍ଶକମାନେ ଏଠାରେ ଆଇସ ହକି, ଆଇସ ଫୁଟବଲ, ଏବଂ ସ୍ପିଡ଼ ସ୍କେଟିଂ ପରି ସ୍ପୋର୍ଟ୍ସର ମଜା ନେଇପାରିବେ ।

ବଡ଼ଦିନ ପାଇଁ ପ୍ରତିବର୍ଷ ଲକ୍ଷାଧିକ ଲୋକ ଏହି ମହୋତ୍ସବ ଦେଖିବାକୁ ଆସିଥାନ୍ତି । ତେବେ ଚଳିତ ବର୍ଷ ବିଶେଷ କୋଭିଡ଼ କଟକଣା ନଥିବା କାରଣରୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିବେ ବୋଲି ଆଶା କରାଯାଉଛି । ତେବେ ତାପମାତ୍ରା ବଢ଼ି ବରଫ ତରଳିବା ଉପରେ ନିର୍ଭର କରି ଆସନ୍ତା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି ମହୋତ୍ସବ ଜାରି ରହିବ ବୋଲଇ ଅନୁମାନ କରାଯାଉଛି ।

Get real time updates directly on you device, subscribe now.