fbpx

ଲଦାଖର ଗୋଗ୍ରାରୁ ହଟିଲେ ଭାରତ-ଚୀନ ସେନା

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ଜୁଲାଇ ୩୧ରେ କମାଣ୍ଡରସ୍ତରୀୟ କଥାବାର୍ତ୍ତା ପରେ ଉଭୟ ଦେଶ ଶାନ୍ତି ପଥରେ ବଡ଼ ପଦକ୍ଷେପ ନେଇଛନ୍ତି । ଦୁଇ ଦେଶ ସହମତି ଅନୁଯାୟୀ ଲଦାଖର ଗୋଗ୍ରା ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିଛନ୍ତି । ଏହା ପୂର୍ବରୁ ପ୍ୟାଙ୍ଗଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ ଭାଗରୁ ଚୀନ ପଛକୁ ହଟିଥିଲା । ଭାରତ ଏବଂ ଚୀନ ସୈନିକ ଗତ ବର୍ଷ ଏପ୍ରିଲ ମାସଠାରୁ ହିଁ ପୂର୍ବ ଲଦାଖର ଅନେକ ଅଞ୍ଚଳରେ ସାମ୍ନା-ସାମ୍ନି ହୋଇଥିଲେ ଏବଂ ଜୁନରେ ପରିସ୍ଥିତି ଉଗ୍ର ରୂପ ଧରିଥିଲା ।

ଭାରତୀୟ ସେନା ତରଫରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ ବୁଝାମଣା ଅନୁଯାୟୀ ଏଲଏସିର ଏହି ଅଞ୍ଚଳରୁ କଡ଼ା ନଜର ରଖାଯିବ ଏବଂ ଦୁଇ ପକ୍ଷ ଏହାର ସମ୍ମାନ କରିବେ । ଦୁଇ ଦେଶ କଥାବାର୍ତ୍ତାକୁ ଆଗକୁ ବଢ଼ାଇବା ଏବଂ ଏଲଏସରି ପଶ୍ଚିମ କ୍ଷେତ୍ରରେ ଥିବା ଅନ୍ୟ ସମସ୍ୟାକୁ ସମାଧାନ ପାଇଁ ଉଭୟ ଦେଶ ପ୍ରତିବଦ୍ଧ । ବୟାନରେ କୁହାଯାଇଛି ଯେ ଭାରତୀୟ ସେନା ଏବଂ ଆଇଟିବିପି ଦେଶର ସାର୍ବଭୌମତ୍ୱ ଏବଂ ଏଲଏସିରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରତିବଦ୍ଧ ।

ଦୁଇ ଦେଶ ମଧ୍ୟରେ ତିନି ମାସରୁ ଅଧିକ ସମୟ ମଧ୍ୟରେ ୧୨ ଥର କଥାବାର୍ତ୍ତା ହୋଇଛି । ତେବେ ପୁଣି ଥରେ ଭାରତ ଏବଂ ଚୀନର ବିଦେଶ ମନ୍ତ୍ରୀଙ୍କ ସାକ୍ଷାତକାର ପରେ ଶାନ୍ତିର ସହ ସବୁ ସମସ୍ୟକୁ ସମାଧାନ କରାଯିବା ପାଇଁ ଘୋଷଣା କରାଯାଇଥିଲା । ଭାରତ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଏବଂ ତାଙ୍କ ସମକକ୍ଷ କହିଥିଲେ ଯେ ପୂର୍ବ ଲଦାଖରେ ଉପୁଜିଥିବା ପରିସ୍ଥିତି ଯୋଗୁଁ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ବନ୍ଧ ଉପରେ ନକରାତ୍ମକ ପ୍ରଭାବ ପଡ଼ୁଛି । ଦୁଇ ଦେଶର ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ୧୪ ଜୁଲାଇରେ ତାଜିକିସ୍ତାନର ରାଜଧାନୀ ଦୁଶାମ୍ବେରେ ସାଙ୍ଘାଇ କୋଅପରେସନ ଅର୍ଗାନାଇଜେସନ(ଏସସିଓ) ସମ୍ମିଳନୀରେ ଏନେଇ ଏକ ଘଣ୍ଟା ଧରି ଆଲୋଚନା ହୋଇଥିଲା ।

Get real time updates directly on you device, subscribe now.