fbpx

ରାଜଧାନୀରେ ବ୍ୟାପୁଛି ଡେଙ୍ଗୁ, ରୋକିବାରେ ସରକାର ଫେଲ୍: ବିଜେପି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ଡେଙ୍ଗୁରୋଗ ବ୍ୟାପୁଛି କାହାପାଇଁ? “ଡେଙ୍ଗୁ’ ପ୍ରତି ‘ମୋ ସରକାର’ଙ୍କ ଅଣଦେଖା ଯୋଗୁଁ ସ୍ମାର୍ଟସିଟି ଭୁବନେଶ୍ୱରରେ ବହୁ ସଂଖ୍ୟକ ଲୋକେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହେବା ସହ ଅନେକ ପ୍ରାଣ ହରାଇଲେଣି । ତେବେ ଏଥିପାଇଁ ବିଏମସି ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ବିଜେପି । ଏନେଇ ଲୋକଙ୍କୁ ସଚେତନ କରାଇବା ସହ ସରକାରଙ୍କ ଅପରାଗତା ବିରୋଧରେ ବିଜେପି ଲଢ଼େଇ କରିବ ବୋଲି କହିଛି ବିଜେପି ।

ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ମହାମାରୀ କରୋନା ଭୟ କିଛିଟା କମିବାବେଳକୁ ରାଜଧାନୀରେ ଡେଙ୍ଗୁ ଜ୍ୱର ଏକ ବଡ଼ ସମସ୍ୟା ପାଲଟିଛି । କିନ୍ତୁ ବିଏମସି ଏ ଦିଗରେ କୌଣସି ପଦକ୍ଷେପ ନନେଇ ଚୁପ ବସିଛି। ରାଜଧାନୀବାସୀଙ୍କୁ ସବୁ ପ୍ରକାର ସୁବିଧା ଦେବା ପାଇଁ ବିଏମସି ପ୍ରତିଶ୍ରୁତିବଦ୍ଧ ହେବା ଦରକାର । କିନ୍ତୁ ବିଏମସି କର୍ତ୍ତବ୍ୟ ସମ୍ପାଦନ କରିବାରେ ବିଫଳ ହୋଇଛି । ଭୁବନେଶ୍ୱରବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା, ଡ୍ରେନେଜ ସଫା କରିବା, ରାସ୍ତାଘାଟ ମରାମତି କରିବା ଦିଗରେ ବିଏମସି ସମ୍ପୂର୍ଣ୍ଣ ଭାବେ ଚୁପ ରହିଛି । ବିଭିନ୍ନ ପୁରୁଣା ଗାଡ଼ି ଗ୍ୟାରେଜରେ ଥିବା ଟାୟାର, ଫୁଲକୁଣ୍ଡ, ପଇଡ଼ ଖୋଲ ଭିତରେ ପାଣି ଜମି ରହୁଥିବାରୁ ସେ ସବୁ ସ୍ଥାନରେ ମଶା ବଂଶ ବୃଦ୍ଧି ହେଉଛି ଏବଂ ଡେଙ୍ଗୁ ରୋଗ ବ୍ୟାପୁଛି । ସେହି ସ୍ଥାନଗୁଡ଼ିକୁ ବିଏମସି ଚିହ୍ନଟ କରି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ଦରକାର ।

ଉପରୋକ୍ତ ମର୍ମରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଏକାମ୍ର ନିର୍ବାଚନ ମଣ୍ଡଳୀର ଖଣ୍ଡଗିରି ମଣ୍ଡଳର ଘାଟିକିଆ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିସହ ସଚେତନତା ଅଭିଯାନ ଓ ବିଭିନ୍ନ ସ୍ଥାନରେ ମଶା ତେଲ ସିଞ୍ଚନ କରାଯାଇଥିଲା । ଭୁବନେଶ୍ୱର ବିଜେପି ଜିଲ୍ଲା ସଭାପତି ବାବୁସିଂ, ପୂର୍ବତନ କର୍ପୋରେଟର ରଘୁ ମହାନ୍ତି, ଖଣ୍ଡଗିରି ମଣ୍ଡଳ ସଭାପତି ରାମଚନ୍ଦ୍ର ରଣସିଂ, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନୀଲ ପ୍ରଧାନ, ଭୁବନେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ, ବ୍ରଜରାଜ୍ ବଳବନ୍ତ ରାୟ, କାର୍ତ୍ତିକ ସୁନ୍ଦରାୟ, ଶିଶିର ସୁନ୍ଦରାୟ, ବ୍ରହ୍ମାନନ୍ଦ ବେହେରା ପ୍ରମୁଖ ସାମିଲ୍ ହୋଇଥିଲେ ।

Get real time updates directly on you device, subscribe now.