fbpx

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅବସରରେ ବଡ଼ ଅଘଟଣ: ପୋଲିଂ ଏଜେଣ୍ଟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଗତ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯାଇଥିଲା । ତେବେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅବସରରେ ଘଟିଯାଇଛି ଏକ ବଡ଼ ଅଘଟଣ । ମତଦାନ ପରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି । କେରଳରେ ଘଟିଯାଇଛି ଏଭଳି ଏକ ବଡ଼ ଅଘଟଣ । ରାଜ୍ୟର ବିଭିନ୍ନ ସ୍ଥାନରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ଏକ ରିପୋର୍ଟରେ କୁହାଯାଇଛି ।

ସୂଚନା ମୁତାବକ, ଆଜି କେରଳର ବିଭିନ୍ନ ସ୍ଥାନରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୩ ଜଣ ମତଦାତା ଥିବାବେଳେ ଆଉ ଜଣେ ପୋଲିଂ ଏଜେଣ୍ଟ ଥିଲେ ବୋଲି ଏକ ରିପୋର୍ଟରେ କୁହାଯାଇଛି । ଆଜି ରାଜ୍ୟରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ପଲକ୍କଡ଼ର ଓଟ୍ଟାପଲମରେ ଜଣେ ୬୮ ବର୍ଷୀୟ ମତଦାତା ଭୋଟ ଦେବା ପରେ ଅଚାନକ ବେହୋସ ହୋଇଯାଇଥିଲେ । ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ମାତ୍ର ସେଠାରେ ତାଙ୍କୁ ମୃତ ଘୋଷିତ କରାଯାଇଥିଲା ।

ସେହିପରି ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟର ପୋଲିଂ ଏଜେଣ୍ଟ ଅନିସ ଅହମଦ (୬୬) କୋଝିକୋଡ ଟାଉନର ବୁଥ ନମ୍ବର ୧୬ରେ ବେହୋସ୍ ହୋଇଯାଇଥିଲେ । ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ମଲ୍ଲପ୍ପୁରମ ଜିଲ୍ଲାର ତିରୁରେ ଜଣେ ୬୩ ବର୍ଷୀୟ ମଦ୍ରାସା ଶିକ୍ଷକ ମତଦାନ କରିବା ପରେ ବେହୋସ ହୋଇଯିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଅଲ୍ଲାପ୍ପୁଝା ଜିଲ୍ଲାର ଅମ୍ବାଲାପ୍ପୁଝାରେ ଜଣେ ୭୬ ବର୍ଷୀୟ ବୃଦ୍ଧ ମତଦାନ କରି ଘରକୁ ଫେରିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.