fbpx

AIIMS ଓ NIMHANS ରିପୋର୍ଟ: ସିଗାରେଟ ସେବନ କୋଭିଡ୍ ମୃତ୍ୟୁହାର ବଢ଼ାଉଛି, ହୃଦ ଓ ମାନସିକ ସମସ୍ୟା ବୃଦ୍ଧି ପାଉଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କୋଭିଡ-୧୯ ସଂକ୍ରମଣ ପୁଣି ଥରେ ଆତଙ୍କ ଖେଳାଇ ଦେଇଥିବା ବେଳେ ବିଭିନ୍ନ ଦେଶରେ ଏନେଇ ଆଲର୍ଟ ଜାରି କରାଯାଇଛି । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଓଡ଼ିଶାରେ ମଧ୍ୟ ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କୁ ମେଡିକାଲମାନଙ୍କରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ତେବେ ଏହା ମଧ୍ୟରେ କରୋନାକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । କୋଭିଡ ସଂକ୍ରମିତଙ୍କ ପଇଁ ତମାଖୁ ବିପଦ ଡାକି ଆଣୁଥିବା ଜଣାପଡ଼ିଛି ।

ଅଖିଳ ଭାରତୀୟ ଭେଷଜ ବିଜ୍ଞାନ (ଏମ୍ସ) ଦେଓଘର ଓ ଜାତୀୟ ମାନସିକ ସ୍ୱାସ୍ଥ୍ୟ ଓ ସ୍ନାୟୁ ବିଜ୍ଞାନ (ନିମହନସ) ପକ୍ଷରୁ ଏହି ଗବେଷଣା କର୍ଣ୍ଣାଟକରେ କରାଯାଇଥିଲା । ତେବେ ଆଜିକାଲିର ଯୁବପୀଢ଼ି ଅଧିକ ମାତ୍ରାରେ ସିଗାରେଟ, ମଦ ଓ ଅନ୍ୟ ଗୁଟଖା ଜାତୀୟ ନିଶାଦ୍ରବ୍ୟ ସେବନ କରୁଥିବାରୁ ସେମାନଙ୍କ ଠାରେ କୋଭିଡକୁ ନେଇ ଭୟଙ୍କର ସମସ୍ୟା ଦେଖାଦେଉଛି । ଏପରିକି ଅନେକ ଲୋକ କୋଭିଡରୁ ସୁସ୍ଥ ହେବା ପରେ ବି ହୃଦ ଓ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି ।

କେବଳ ସେତିକି ନୁହେଁ ରୋଗୀଙ୍କ ଠାରେ ବହୁ ନୂଆ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି । ଗତ ୨୦୨୦ ମସିହା ମାର୍ଚ୍ଚ ଓ ୨୦୨୧ ମସିହା ଡିସେମ୍ବର ମାସ ମଧ୍ୟରେ ଏହି ଗବେଷଣା କରାଯାଇଥିଲା । ଏହି ଗବେଷଣାରେ ଉଭୟ ତମାଖୁ ସେବନକାରୀ ଓ ଅଣସେବନକାରୀଙ୍କୁ ସାମିଲ କରାଯାଇଥିଲା । ତେବେ ତମାଖୁ ସେବନକାରୀଙ୍କ ମଧ୍ୟରେ ହୃଦରୋଗ ସମସ୍ୟା ରହିଥିବା ବେଳେ କୋଭିଡ ସଂକ୍ରମଣ ହେବା ପରେ ଏହି ସମସ୍ୟା ଆହୁରି ବଢ଼ିଯାଉଥିବା ଜଣାପଡ଼ିଥିଲା । ସିଗାରେଟ ସେବନ ଫଳରେ ସଂକ୍ରମଣକାରୀଙ୍କ ମୃତ୍ୟୁହାର ବୃଦ୍ଧି ପାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ରିପୋର୍ଟ ଅନୁଯାୟୀ, ଦେଶରେ ଏବେ ୨୮.୬ ପ୍ରତିଶତ ଲୋକ ତମାଖୁ ସେବନ କରୁଥିବା ବେଳେ ଏହି ରିସର୍ଚ୍ଚ ତଥ୍ୟ ସାରା ଦେଶ ପାଇଁ ନିହାତି ଚିନ୍ତାଜନକ ବିଷୟ । ତେଣୁ ଏ କ୍ଷେତ୍ରରେ ରାଜ୍ୟବାସୀଙ୍କୁ ସଚେତନ ରହିବା ନିହାତି ଜରୁରୀ ।

Get real time updates directly on you device, subscribe now.