fbpx
BSKY SKY
BSKY SKY

୬ରେ ଘୂର୍ଣ୍ଣିବଳୟ ! ୪୮ ଘଣ୍ଟାରେ ନେବ ଲଘୁଚାପର ରୂପ

BSKY

ଭୁବନେଶ୍ୱର: ଆସନ୍ତା ୬ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ୪୮ ଘଣ୍ଟା ଭିତରେ ଏହା ଲଘୁଚାପର ରୂପ ନେଇ ଘନୀଭୂତ ହେବା ସହ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଏପରିକି ଏହା ଅବପାତର ରୂପ ନେଲେ ମଧ୍ୟ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ କି ନାହିଁ ସେ ନେଇ କିଛି ନିର୍ଦ୍ଦିଷ୍ଟ ସୂଚନା ମିଳିପାରି ନାହିଁ । ବିଦେଶୀ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି ଯେ ୧୧ ତାରିଖ ବେଳକୁ ଏହି ଲଘୁଚାପ କ୍ଷେତ୍ର ଅଧିକ ସକ୍ରିୟ ହେବାର ସମ୍ଭାବନା ରହିଛି ।

ତେବେ ଏହାର ଗତିପଥ କୁଆଡ଼କୁ ରହିବ ତାହା ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ସ୍ପଷ୍ଟ ହେବ । ଅନ୍ୟପକ୍ଷରେ କାଳବୈଶାଖୀ ନେଇ ୪ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି । ଏହିସବୁ ଜିଲ୍ଲାରେ ଝଡ଼ ପବନ ସହ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏପରିକି ୩୦ରୁ ୪୦ କି.ମି ବେଗରେ ପବନ ବୋହିବା ନେଇ ମଧ୍ୟ ଆକଳନ କରାଯାଇଛି ।

ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ କହିଛନ୍ତି ଯେ ଆମେ ଆଇଏମ୍ଡି ଡିଜିଙ୍କ ସହ ସମ୍ପର୍କରେ ରହିଛୁ । ରାଜ୍ୟ ସରକାର ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ସେ ସୂଚନା ଦେଇଛନ୍ତି । ମେ ପହିଲାରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ତେଣୁ ଜନସାଧାରଣ ଭୟଭୀତ ହେବାର କାରଣ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ବାତ୍ୟା ନେଇ ସଠିକ ସୂଚନା ମିଳିନଥିଲେ ମଧ୍ୟ ଏନଡିଆରଏଫ୍ ଏବଂ ଓଡ୍ରାଫ୍ ଟିମକୁ ସଜାଗ ରଖାଯାଇଥିବା ସେ କହିଛନ୍ତି ।

ସେହିପରି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଲଘୁଚାପ ସୃଷ୍ଟି ନେଇ ପାଗ ଅନୁକୂଳ ଥିବା ବେଳେ ତାହା ବାତ୍ୟାରେ ପରିଣତ ହେବ କି ନାହିଁ ସେ ନେଇ ସ୍ପଷ୍ଟ ସୂଚନା ନାହିଁ । ତେବେ ସିଷ୍ଟମ ଉପରେ ନଜର ରଖାଯାଇଥିବା ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଗତ ୪ ବର୍ଷ ଧରି ଲଗାତାର ମେ ମାସରେ ବାତ୍ୟା ତାଣ୍ଡବ ରଚିଛି । ସବୁଠାରୁ ଭୟଙ୍କର ବାତ୍ୟା ଫନି ଓଡ଼ିଶା ଉପକୂଳକୁ ଛାରଖାର କରି ଦେଇଥିଲା । ସେହିପରି ମେ ମାସରେ ଅମ୍ପନ, ୟାସ ଓ ଆସାନି ମଧ୍ୟ ସ୍ଥଳଭାଗ ଛୁଇଁଥିଲା ।

Get real time updates directly on you device, subscribe now.