fbpx

Loan EMI କ୍ଷେତ୍ରରେ ଜନତାଙ୍କୁ ମିଳିବ ଆଶ୍ୱସ୍ତି! ସୁଧ ହାର ହ୍ରାସ ପାଇଁ RBIକୁ ଅନୁରୋଧ କଲା CII

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କ୍ରମାଗତ ଭାବେ ମହଙ୍ଗା ମାଡ଼ ଜାରି ରହିଛି । ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗତ କିଛି ମାସ ପୂର୍ବରୁ ସୁଧ ଦରରେ ବୃଦ୍ଧି ଘୋଷଣା କରିଥିଲା । ତେବେ ତା’ର ପ୍ରଭାବ ବର୍ତ୍ତମାନ ଅର୍ଥବ୍ୟବସ୍ଥା ଉପରେ ପଡ଼ିଥିବା ଦେଖିବାକୁ ମିଳୁଛି । ସୁଧ ହାର ବୃଦ୍ଧି ନିଷ୍ପତ୍ତିର ପ୍ରତିକୂଳ ପ୍ରଭାବ ଅର୍ଥ ବ୍ୟବସ୍ଥା ଉପରେ ପଡ଼ୁଛି ବୋଲି ଭାରତୀୟ ଉଦ୍ୟୋଗ ମହାସଂଘ (ସିଆଇଆଇ) ପକ୍ଷରୁ କୁହାଯାଇଛି ।

ତେବେ ଏହି ସମସ୍ୟାରେ ସୁଧାର ଆଣିବା ପାଇଁ ସିଆଇଆଇ ପକ୍ଷରୁ ଆରବିଆଇକୁ ଅନୁରୋଧ କରାଯାଇଛି । ବର୍ଦ୍ଧିତ ସୁଧ ହାରକୁ ହ୍ରାସ କରିବା ନିହାତି ଜରୁରୀ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ଆରବିଆଇ ୧.୯ ପ୍ରତିଶତ ରେପୋ ରେଟ୍ ବଢ଼ାଇ ସାରିଲାଣି । ସୁଧ ହାର ଉପରେ ବିଚାର କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରା ନୀତି ସମିତିର ବୈଠକ ଆସନ୍ତା ଡିସେମ୍ବର ମାସ ପ୍ରଥମ ସପ୍ତାହରେ ବସିବ ।

ସିଆଇଆଇର ବିଶ୍ଲେଷଣ ମୁତାବକ, ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସ (ଜୁଲାଇ-ସେପ୍ଟେମ୍ବର)ରେ କମ୍ପାନୀଗୁଡ଼ିକର ଆୟ ଓ ଲାଭରେ ବହୁତ ହ୍ରାସ ଘଟିଛି । ତେଣୁ ଏଭଳି ସ୍ଥିତିରେ ମନିଟାରୀ ପଲିସୀରେ କୋହଳ କରାଯିବାର ଆବଶ୍ୟକତା ରହିଛି । ଘରୋଇ ଚାହିଦା କ୍ଷେତ୍ରରେ ସୁଧାର ପ୍ରତିକୂଳ ରହିଛି । ବିଶ୍ୱ ଦେଖାଦେଇଥିବା ଆର୍ଥିକ ସଙ୍କଟର ପ୍ରଭାବ ଭାରତରେ ପଡ଼ିବାର ସମ୍ଭାବନା ରହିଛି ।

ବିଶ୍ୱରେ ଦେଖାଦେଇଥିବା ଅନିଶ୍ଚିତତା ମଧ୍ୟରେ ଘରୋଇ ବୃଦ୍ଧିକୁ କାଏମ ରଖିବା ନିହାତି ଜରୁରୀ । ତେଣୁ ଏଭଳି ସ୍ଥିତିରେ ଆରବିଆଇ ନିଜର ମୁଦ୍ରା ନୀତିରେ ୦.୫ ପ୍ରତିଶତ ହ୍ରାସ କରିବା ଆବଶ୍ୟକ ବୋଲି ସିଆଇଆଇ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ବିଶ୍ୱରେ ମୁଦ୍ରାସ୍ଫୀତି ଦ୍ରୁତ ଭାବେ ବଢ଼ିବାରେ ଲାଗିଛି । ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକାର ଫେଡେରାଲ ରିଜର୍ଭ ସମେତ ଅନ୍ୟ ଦେଶର ରାଷ୍ଟ୍ରୀୟ ବ୍ୟାଙ୍କ ସୁଧ ହାରରେ ବୃଦ୍ଧି କରିବାରେ ଲାଗିଛନ୍ତି । ମହଙ୍ଗା ଓ ସୁଧ ହାରରେ ବୃଦ୍ଧି କାରଣରୁ ୟୁରୋପ ଓ ଆମେରିକା ସମେତ ବହୁ ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଛନ୍ତି । ତେବେ ସିଆଇଆଇର ପ୍ରସ୍ତାବ ଉପରେ ଆରବିଆଇ କି ନିଷ୍ପତ୍ତି ନେଉଛି ତାହା ଆଗକୁ ସ୍ପଷ୍ଟ ହୋଇଯିବ । ସିଆଇଆଇର ପ୍ରସ୍ତାବ ଅନୁଯାୟୀ ଯଦି ଆରବିଆଇ ସୁଧହାର ହ୍ରାସ କରେ, ତେବେ ଇଏମଆଇ କ୍ଷେତ୍ରରେ ବହୁ ଜନତା ଆଶ୍ୱସ୍ତି ପାଇବେ ।

 

Get real time updates directly on you device, subscribe now.