fbpx
BSKY SKY
BSKY SKY

ସୁନ୍ଦରଗଡକୁ ୯୬୪ କୋଟିର ପ୍ରକଳ୍ପ ଭେଟି: ରାଉରକେଲା ଗସ୍ତରେ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

BSKY

ରାଉରକେଲା: ରାଉରକେଲା ଗସ୍ତରେ ଆସି ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲା ସହରର ବିର୍ସା ଛକ ଠାରେ ନିର୍ମିତ ନୂତନ ବିର୍ସା ମୁଣ୍ଡା ଆଥ‌ଲେଟିକ୍‌ ଷ୍ଟାଡିୟମ୍‌ ଉଦଘାଟନ କରାଯାଇଛି । ଏଥିସହିତ ବିର୍ସା ମୁଣ୍ଡା ସୁଇମିଂ କମ୍ପ୍ଳେକ୍ସ ଏବଂ ବହୁତଳ କାର ପାର୍କିଂ ସୁବିଧାର ଉଦ‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୫୭. ୨୧ କୋଟି ଟଙ୍କା ମୂଲ୍ୟରେ ୧୦ ଏକର ଜମିରେ ଏହି ଷ୍ଟାଡିୟମ୍‌ ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ ରାଉରଖେଲାରେ ନିର୍ମିତ ହୋଇଛି । ତେବେ ଏଠାରେ ଏକା ସାଙ୍ଗରେ ପ୍ରାୟ ୧୦ହଜାର ଦର୍ଶକ ବସି ଖେଳ ଉପଭୋଗ କରିପାରିବେ । ଏଠାରେ ଫୁଟବଲ ସମେତ ଡ୍ରାଗ୍‌ ଆଣ୍ଡ ଫିଲ୍ଡ ବିଭାଗର ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇପାରିବ ।

ଏଠାରେ ନବନିର୍ମିତ ସୁଇମିଂ ପୁଲରେ ସନ୍ତରଣ ନେଇ ପ୍ରଶିକ୍ଷଣ ଦିଆଯିବା ସହ ରାଜ୍ୟ ତଥା ଜାତୀୟସ୍ତରୀୟ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେବ । ଏହାସହିତ ୨ମହଲା ବିଶିଷ୍ଟ ମଲ୍ଟି ଲେବଲ୍‌ କାର‌ ପାର୍କିଂ ବ୍ୟବସ୍ଥା ମଧ୍ୟ ରହିଛି । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାବାସୀଙ୍କ ପାଇଁ ଏହି ଷ୍ଟାଡିୟମ‌ ଉତ୍ସର୍ଗୀକୃତ କରିଛନ୍ତି । ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲ୍ଲାର ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ, ପରିମଳ, କୃଷି ଏବଂ ପର୍ୟ୍ୟଟନ ଇତ୍ୟାଦିର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପର ଉଦ‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ । ପାନପୋଷଠାରେ ବଜାର ଗୃହ ନିର୍ମାଣ ୫୩.୫୩ କୋଟି ଟଙ୍କାର ପ୍ରକଳ୍ପ ପ୍ରଦାନ କରିବା ସହିତ ୧୧.୭୭ କୋଟି ଟଙ୍କାର ଆସ୍ଥା ଗୃହ (ମାନସିକ ରୋଗଗ୍ରସ୍ତ ମହିଳାଙ୍କ ପାଇଁ), ୫ଗୋଟି ଉଚ୍ଚ କ୍ଷମତା ସମ୍ପନ୍ନ ଉଠା ଜଳ ସେଚନ ପ୍ରକଳ୍ପ ପାଇଁ୨୩୨ କୋଟି ଟଙ୍କା, ଟାଙ୍ଗରପାଲ୍ଲୀ ବ୍ଳକର ଉଜ୍ଜଳପୁର ଠାରେ ୨.୫୫ କୋଟି ଟଙ୍କା ମୂଲ୍ୟର ମାର୍କେଟ ୟାର୍ଡ ଓ ଗୋଦାମ ଗୃହ, ଅନୁସୂଚିତ ଜାତି ଓ ଜନଜାତି / ପଛୁଆ ବର୍ଗଙ୍କ ନିମନ୍ତେ ୧୪ ଗୋଟି ଛାତ୍ରାବାସ ପ୍ରସ୍ତୁତି ପାଇଁ ୩୩.୯୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ଓଡିଶା ସରକାର । ଏହା ବ୍ୟତୀତ ୨୩୭.୨୦ କୋଟି ଟଙ୍କାର ୬୬ ଗୋଟି ରାସ୍ତା ପ୍ରକଳ୍ପ, ସରଫଗଡ଼ ଠାରେ ୭୫ ଲକ୍ଷ ଟଙ୍କାର ପ୍ରାକୃତିକ ପର୍ୟ୍ୟଟନସ୍ଥଳୀର ଉନ୍ନତିକରଣ, ୨୫.୩୭ କୋଟି ଟଙ୍କାରେ ନିର୍ମିତ ୮୫ ଗୋଟି ବିଦ୍ୟାଳୟ ଗୃହର ଉଦଘାଟନ କରିଥିଲେ ।

ଏହା ସହିତ ମୁଖ୍ୟମନ୍ତ୍ରୀ ୬୬.୯୩ କୋଟି ଟଙ୍କାର ବ୍ୟାୟରେ ନିର୍ମିତ ହେବାକୁ ଥିବା ୨୩ ଗୋଟି ରାସ୍ତା, କଲଭର୍ଟ ଏବଂ ଗୃହ ନିର୍ମାଣ କାର୍ୟ୍ୟ , ୮.୭୯ କୋଟି ଟଙ୍କାରେ ହେବାକୁ ଥିବା ୨୯ ଗୋଟି ଗୋଷ୍ଠୀ ସଭା ଗୃହ, ୩୫.୨୬ କୋଟି ଟଙ୍କା ମୂଲ୍ୟରେ ହେବାକୁ ଥିବା ୭୩ ଗୋଟି ସ୍ବାସ୍ଥ୍ୟ ସମ୍ପର୍କିତ ପ୍ରକଳ୍ପ, ୧୬.୧୦ କୋଟି ଟଙ୍କାରେ ଲାଇଙ୍ଗ‌ ଠାରେ ହେବାକୁ ଥିବା ପ୍ରାକୃତିକ ପର୍ୟ୍ୟଟନସ୍ଥଳର ଉନ୍ନତିକରଣ କାର୍ୟ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଉଦଘାଟନ କାର୍ୟ୍ୟକ୍ରମରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନ ବୋର୍ଡ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ‌, କ୍ରୀଡ଼ା ଏବଂ ଯୁବ ସେବା ସଚିବ ଆର. ଭିନିଲ୍‌ କ୍ରିଷ୍ଣା, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର, ସୁନ୍ଦରଗଡ଼ ଜିଲ୍ଲା ପରିଷଦର ମୁଖ୍ୟ କର୍ୟ୍ୟ ନିର୍ବାହୀ ଅଧିକାରୀ ମନୋଜ ମହାଜନ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.