ବିଶ୍ୱସ୍ତରୀୟ ହେବ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର: ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, ଏକସଙ୍ଗେ ପଢ଼ିବେ ୫୦୦ ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ରୂପାନ୍ତରିକରଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ବିଶ୍ୱ ସ୍ତରୀୟ ଗ୍ରନ୍ଥାଗାରରେ ପରିଣତ କରାଯିବ । ସେଠାରେ ଏକା ସମୟରେ ୫୦୦ ଶହ ଛାତ୍ର ଛାତ୍ରୀ ପାଠ ପଢ଼ିବାର ବ୍ୟବସ୍ଥା କରାଯିବ । ଗ୍ରନ୍ଥାଗାରରେ ଥିବା ସମସ୍ତ ପୁସ୍ତକର ଡିଜିଟାଇଜେସନ କରାଯିବ, ମିଶନ ଶକ୍ତି କାଫେ, ଆହାର କେନ୍ଦ୍ର ମଧ୍ୟ ଖୋଲିବ । ରାଜ୍ୟରେ ଗ୍ରନ୍ଥାଗାର ଅଭିଯାନ ଆରମ୍ଭ ହେଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାପୁଜୀନଗର ଠାରେ ସନ୍ଥକବି ଭୀମଭୋଇ ପାଠାଗାର ଉଦଘାଟନ କରିଛନ୍ତି । ଏହା ପୂର୍ବରୁ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଛାତ୍ରଛାତ୍ରୀ ଓ ଗ୍ରନ୍ଥାଗାର ଅଧିକାରୀଙ୍କୁ ଭେଟି ସମସ୍ୟା ଶୁଣିଥିଲେ ଓ ରୁପାନ୍ତରଣର ପ୍ରତିଶ୍ରୁତି ଦେଇଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ଖଣି ନିଗମ (ଓଏମସି)ର ମିଳିତ ଆନୁକୁଲ୍ୟରେ ଗ୍ରନ୍ଥାଳୟକୁ ରୂପାନ୍ତରିକରଣ କରିବା ପାଇଁ ଓଡ଼ିଶା ସରକାର ଏହି ପ୍ରୟାସ ଆରମ୍ଭ କରିଛନ୍ତି । ଏଥିସହ ଭୁବନେଶ୍ୱରର ବାପୁଜୀନଗର ଠାରେ ଅବସ୍ଥିତ ଇଣ୍ଟିଗ୍ରେଟେଡ୍ ପବ୍ଲିକ୍ ସର୍ଭିସ ସେଣ୍ଟର (ଆଇପିଏସସି)ରେ ସନ୍ଥକବି ଭୀମଭୋଇଙ୍କ ନାମରେ ଏକ ପାଠାଗାରକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ସହ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ସହିତ ରାଜ୍ୟରେ ଗ୍ରନ୍ଥାଗାର ଅଭିଯାନ ଆରମ୍ଭ ହେଲା । ରାଜ୍ୟର ସବୁ ସ୍ଥାନରେ, ଭୁବନେଶ୍ୱରର ପ୍ରତ୍ୟେକ ଜୋନରେ ଗ୍ରନ୍ଥାଗାର ପ୍ରତିଷ୍ଠା କରାଯିବ ।

ସୂଚନା ଯୋଗ୍ୟ ଯେ ରାଜ୍ୟର ପ୍ରତ୍ୟେକ ସ୍ଥାନରେ ଗ୍ରନ୍ଥାଗାର ପ୍ରତିଷ୍ଠା କରିବା ପାଇଁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମଳନୀରେ ପ୍ରସ୍ତାବ ଦିଆ ଯାଇଥିଲା । ସାରସ୍ୱତ ସମୃଦ୍ଧି ପାଇଁ ଓଡିଶାର ପ୍ରତିବଦ୍ଧତାର ପ୍ରତୀକ ଭାବରେ ପରିଚିତ ଡକ୍ଟର ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଳୟ ୧୯୫୯ ମସିହାରେ ଭାରତ ସରକାରଙ୍କ ଦ୍ୱାରା ପ୍ରଥମ ପଞ୍ଚବାର୍ଷିକ ଯୋଜନା ସମୟରେ କର୍ୟ୍ୟକ୍ଷମ ହୋଇଥିଲା । ବର୍ଷ ବର୍ଷ ଧରି ଏହା ଛାତ୍ରଛାତ୍ରୀ, ସର୍ବସାଧାରଣ ଏବଂ ସମାଜର ପ୍ରତ୍ୟେକ ବର୍ଗଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଜ୍ଞାନକେନ୍ଦ୍ର ଭାବେ ଏହା ବ୍ୟବହୃତ ହୋଇଆସୁଛି । ଓଡ଼ିଶାର ସାହିତ୍ୟିକ ଏବଂ ସାଂସ୍କୃତିକ ଐତିହ୍ୟ ପାଇଁ ଜଣାଶୁଣା ଏହି ଗ୍ରନ୍ଥାଗାରର ଉପଲବ୍ଧତା ଏବଂ ଯୁବଗୋଷ୍ଠୀକୁ ପୁସ୍ତକ ପଠନ ପାଇଁ ଅଧିକ ପ୍ରେରଣା ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଏହି ବ୍ୟାପକ ନବୀକରଣ ପ୍ରକଳ୍ପକୁ ହାତକୁ ନେଇଛନ୍ତି ।

ଅତ୍ୟାଧୁନିକ ଭିତ୍ତିଭୂମି ଜରିଆରେ ଏହି ଗ୍ରନ୍ଥାଳୟର ବିକାଶ କରି ଏହାକୁ ଆନ୍ତର୍ଜାତୀୟ ମାନଦଣ୍ଡରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଏଠାରେ ଏକ ଆହାର କେନ୍ଦ୍ର ଏବଂ ମିଶନ ଶକ୍ତି କାଫେର ମଧ୍ୟ ଖୋଲିବ । ଏପରିକି ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ନୂତନ ଭାବରେ ପରିକଳ୍ପନା କରାଯାଇଥିବା ଏହି ଲାଇବ୍ରେରୀରେ ଥିବା ସମସ୍ତ ପୁସ୍ତକଗୁଡ଼ିକର ଡିଜିଟାଇଜେସନ୍ ପାଇଁ ମଧ୍ୟ ଯୋଜନା ରହିଛି ଯାହାଦ୍ୱାରା ଜଣେ ଯେକୌଣସି ସମୟରେ ନିଜ ମୋବାଇଲ ମାଧ୍ୟମରେ ଏଠାରେ ଥିବା ବହି ଗୁଡିକୁ ପଢିପାରିବ । ଏଥି ସହିତ ପ୍ରାୟ ୫୦୦ ଛାତ୍ରଛାତ୍ରୀ ଦୈନିକ ଉପସ୍ଥିତ ରହି ପୁସ୍ତକ ଅଧ୍ୟୟନ କରିବାର ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ଏଥିସହ ଲାଇବ୍ରେରୀ ସେବାଗୁଡିକର ଉପଲବ୍ଧତା ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଓଡ଼ିଶା ଖଣି ନିଗମ ଦ୍ୱାରା ରାଜଧାନୀର ବାପୁଜୀନଗରରେ ଥିବା ସନ୍ଥକବି ଭୀମଭୋଇ ପାଠାଗାର ପ୍ରତିଷ୍ଠା କରାଯାଇଛି ।

ଏହାକୁ ଆଜି ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ସହ ସର୍ବସାଧାରଣ ମାନଙ୍କ ନିମନ୍ତେ ଉତ୍ସଗ କରିଛନ୍ତି । ପରିଦର୍ଶକଙ୍କ ବିଭିନ୍ନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅତ୍ୟାଧୁନିକ ସୁବିଧା ସହିତ ଏକ ଆହାର କେନ୍ଦ୍ର ନିର୍ମାଣ କରାଯାଇଛି । ବର୍ତ୍ତମାନ ଏହି ପାଠାଗାରରେ ଦୈନିକ ପ୍ରାୟ ୨୦୦ ଟି ଆସନର ବ୍ୟବସ୍ଥା ରହିଛି, ଯେଉଁଠି ଜନସାଧାରଣ ସୁବିଧାରେ ବସି ଅଧ୍ୟୟନ କରିପାରିବେ । ସେହିଭଳି ଭୁବନେଶ୍ୱର ମହାନଗର ନିଗମର ୬ଟି ଜୋନରେ ଅତ୍ୟାଧୁନିକ ପାଠାଗାର ଓ ପଠନ ଗୃହ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହାଦ୍ୱାରା ପାଠାଗାରକୁ ନେଇ ଜନ ଆନ୍ଦୋଳନ ସୃଷ୍ଟି କରିବା ନିମନ୍ତେ ସରକାରଙ୍କ ଲକ୍ଷ୍ୟ ହାସଲ ହୋଇପାରିବ । ଅଧିକ ସଂଖ୍ୟାରେ ଜନସାଧାରଣ ବିଶେଷ କରି ଯୁବବର୍ଗ ଏବଂ ଛୋଟ ପିଲା ମାନଙ୍କୁ ଆକୃଷ୍ଟ କରିବା ପାଇଁ ଏଠାରେ ସମସ୍ତ ବ୍ୟବସ୍ଥା କରାଯିବ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା ଓ ବିଧାୟକ ସୁଶାନ୍ତ ରାଉତ, ବିଭାଗୀୟ ଶାସନ ସଚିବ ସୁଜାତା କାର୍ତ୍ତିକେୟ ଓ ନିର୍ଦ୍ଦେଶକ ଦିଲୀପ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।