ହିଂସାକୁ ନେଇ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ, ‘2024 ଦୁର୍ଭାଗ୍ୟଜନକ ରହିଥିଲା’

ନୂଆଦିଲ୍ଲୀ: ଶେଷରେ ରାଜ୍ୟବାସୀଙ୍କୁ କ୍ଷମା ମାଗିଲେ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ । 2024 ମସିହା ଦୁର୍ଭାଗ୍ୟରେ ପରିପୂର୍ଣ୍ଣ ବୋଲି ସେ କହିଛନ୍ତି । ମେ 3 ତାରିଖରୁ ଆଜି ପର୍ଯ୍ୟନ୍ତ ଯାହା ସବୁ ହୋଇଛି ସେନେଇ ମୁଁ କ୍ଷମା ମାଗୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଭବିଷ୍ୟତରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପାଇଁ ଅତୀତକୁ ଭୁଲି ଯାଅ ବୋଲି ସେ କହିଛନ୍ତି ।

ସେ କହିଛନ୍ତି, “ଏହି ପୂରା ବର୍ଷ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ । ମୁଁ ଏହି କାର୍ଯ୍ୟ ପାଇଁ ଦୁଃଖିତ ଅଟେ । ଗତ ମେ 3 ରୁ ଆଜି ପର୍ଯ୍ୟନ୍ତ ଯାହା ହୋଇଛି ମୁଁ ରାଜ୍ୟବାସୀଙ୍କୁ କ୍ଷମା ମାଗିବାକୁ ଚାହୁଁଛି । ଅନେକ ଲୋକ ନିଜର ନିକଟତମ ତଥା ପ୍ରିୟଜନଙ୍କୁ ହରାଇଛନ୍ତି । ଅନେକ ଲୋକ ନିଜ ଘର ଛାଡିଛନ୍ତି। ମୁଁ ପ୍ରକୃତରେ ଅନୁତାପ କରୁଛି କ୍ଷମା ମାଗିବାକୁ ଚାହୁଁଛି । ମୁଁ ଆଶା କରୁଛି ଯେ ନୂତନ ବର୍ଷ 2025 ସହିତ ସ୍ୱାଭାବିକତା ଏବଂ ଶାନ୍ତି ପୁନଃସ୍ଥାପିତ ହେବ । ମୁଁ ସମସ୍ତ ସମ୍ପ୍ରଦାୟକୁ ନିବେଦନ କରିବାକୁ ଚାହେଁ ଯେ ଯାହା ଘଟିଲା, ଆମ ସମସ୍ତଙ୍କୁ ଅତୀତର ଭୁଲଗୁଡ଼ିକୁ ଭୁଲି ଏକ ଶାନ୍ତିପୂର୍ଣ୍ଣ ମଣିପୁର ପାଇଁ ଏକ ନୂତନ ଜୀବନ ଆରମ୍ଭ କରିବାକୁ ପଡିବ ।”

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ସମୁଦାୟ 200 ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ 12,247 ମାମଲା ପଞ୍ଜିକୃତ ହୋଇଛି । 625 ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ ବିସ୍ଫୋରକ ସାମଗ୍ରୀ ଏବଂ ପ୍ରାୟ 35,000 ଗୁଳି ଜବତ କରାଯାଇଛି। ବିସ୍ଥାପିତଙ୍କୁ ଥଇଥାନ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରିଛନ୍ତି ।