fbpx
BJD
BJD SKY
BJD SKY

ତିନି ଦିନିଆ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ: ମେକ୍ ଇନ ଓଡିଶାକୁ ସଫଳ କରିବା ମୁଖ୍ୟ ଉଦ୍ଦେଶ୍ୟ

BJD

ଭୁବନେଶ୍ୱର: ତିନି ଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି ଓଡିସାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ମୁମ୍ବାଇର ଟ୍ରାଇଡେଣ୍ଟ ହୋଟେଲରେ ଅନୁଷ୍ଠିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ । ତେଣୁ ଆଜି ସନ୍ଧ୍ୟାରେ ସେ ମୁମ୍ବାଇରେ ପହଞ୍ଚିଛନ୍ତି । ସେଠାରେ ବିଭିନ୍ନ ପ୍ରକାରର ଆଲୋଚନାରେ ସେ ଯୋଗ ଦେବେ । ତେବେ ଏହା ଭିତରେ କେତେ ଜଣ ପ୍ରମୁଖ ଉଦ୍ୟୋଗୀଙ୍କ ସହ ଭେଟି ପାରନ୍ତି ନବୀନ ।

ଏହି ଗସ୍ତରେ ଆଦିତ୍ୟ ବିର୍ଲା ଗ୍ରୁପର ମୁଖ୍ୟ କୁମାର ମଙ୍ଗଳମ୍ ବିର୍ଲା, ବେଦାନ୍ତର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କ ସମେତ ଅନ୍ୟ ଉଦ୍ୟୋଗୀଭ୍କ ସହ ଭେଟି ସେ ଆଲୋଚନା କରିବେ । ତେବେ ୧୫ ତାରିଖ ସକାଳେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଓପନିଂ ବେଲ ବଜାଇବେ ମୁଖ୍ୟମନ୍ତ୍ରୀ ନବୀନ । ପ୍ରତିଦିନ ସକାଳ ୯ଟାରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଖୋଲୁଥିବା ବେଳେ କାରବାର ଆରମ୍ଭ ପୂର୍ବରୁ ଏହି ଓପନିଂ ବେଲ୍ ବଜାଇବାର ପରମ୍ପରା ରହିଛି । ବେଲ୍ ବାଜିବାର ୧୫ ମିନିଟ ପରେ ଏଠାରେ ଟ୍ରେଡିଂ ଆରମ୍ଭ ହୋଇଥାଏ ।

ସୂଚନାଯୋଗ୍ୟ, କୋଭିଡ ପାଇଁ ଗତ ଦୁଇ ବର୍ଷ ହେଲା ମେକ୍ ଇନ୍ ଓଡ଼ିଶା କାର୍ୟ୍ୟକ୍ରମ ହୋଇପାରି ନାହିଁ । ତେଣୁ ପୂର୍ବରୁ ଏହି କାର୍ୟ୍ୟକ୍ରମରେ ରାଜ୍ୟ ସରକାରଙ୍କୁ ପୁଞ୍ଜିପତିମାନେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ, ସେହି ଅନୁଯାୟୀ ରାଜ୍ୟରେ ପୁଞ୍ଜିନିବେଶ ହୋଇନାହିଁ । ତେଣୁ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ଯେପରି ସଫଳ ହେବ ଏବଂ ପ୍ରତିଶ୍ରୁତି ଅନୁଯାୟୀ ପୁଞ୍ଜିନିବେଶ ହେବ ସେଥିପାଇଁ ରାଜ୍ୟ ସରକାର ଜୋରଦାର୍ ପ୍ରସ୍ତୁତି ଚଳାଇଛନ୍ତି । ଦୁବାଇ, ଦିଲ୍ଲୀ ଏବଂ ଅହମ୍ମଦାବାଦରେ ନିବେଶକ ସମ୍ମିଳନୀ କରିବା ପରେ ରାଜ୍ୟ ସରକାର ମୁମ୍ବାଇରେ ଏହି ସମ୍ମିଳନୀ କରିବାକୁ ଯାଉଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପୂର୍ବରୁ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ମୁମ୍ବାଇ ଗସ୍ତରେ ଯାଇ କାର୍ୟ୍ୟକ୍ରମ ପ୍ରସ୍ତୁତିରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀ ୧୫ତାରିଖ ଅପରାହ୍ନରେ ଭୁବନେଶ୍ବର ଫେରିବାର କାର୍ୟ୍ୟକ୍ରମ ରହିଛି।

Get real time updates directly on you device, subscribe now.