fbpx

ଆଜି କୁଚିଣ୍ଡା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଏସ୍‌କେୱାଇ ସ୍ମାର୍ଟ କାର୍ଡ ବଣ୍ଟନ ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ

କୁଚିଣ୍ଡା, (ଭାସ୍କର ନ୍ୟୁଜ): ଆଜି କୁଚିଣ୍ଡା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ।ଏନେଇ ସମସ୍ତ ପ୍ରସ୍ତୁତି ସରିଛି। ବିଜୁ ସ୍ମାର୍ଟ କାର୍ଡ ଓ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜମାଦାରପାଲି ଏୟାରଷ୍ଟ୍ରିପ୍‌ରୁ ଆରମ୍ଭ କରି ମୁକୁନ୍ଦି ପଡ଼ିଆ ଯାଏ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମୁକୁନ୍ଦି ପଡିଆରେ ୧୨ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇସାରିଛନ୍ତି । ସଭା ସ୍ଥଳକୁ କେବଳ ହାତଗଣତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ହିତାଧିକାରୀଙ୍କୁ ହିଁ ଅନୁମତି ମିଳିଛି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ସାରା ଜିଲ୍ଲାର ରାଜନୀତି ସରଗରମ ହୋଇଉଠିଥିବା ବେଳେ ବିରୋଧୀ ବିଜେପି ଏବଂ କଂଗ୍ରେସ ବିରୋଧ ପାଇଁ ବି ଜୋରଦାର ପ୍ରସ୍ତୁତି ଚଲାଇଥିବା ଜଣାପଡିଛି ।

ସୂଚନା ମୁତାବିକ,ମଙ୍ଗଳବା ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ କୁଚିଣ୍ଡା ମୁକୁନ୍ଦି ପଡିଆରେ ଅବତରଣ କରି ସଭାସ୍ଥଳକୁ ଯିବେ । ସେଠାରେ ବିଏସ୍‌କେୱାଇ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହିତ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ପ୍ରାୟ ୭ ଶହ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ଏଥିରେ ମୁଖ୍ୟତଃ ବହୁ ପ୍ରତୀକ୍ଷିତ ଧନକଉଡା ବ୍ଲକର କୁଦଗୁଣ୍ଡେରପୁର ସେତୁ ସମେତ ଗୋଶାଳାର ସୈନିକ ସ୍କୁଲ କୋଠା ଏବଂ ବୁର୍ଲାର ପାରା ମେଡିକାଲ ହଷ୍ଟେଲ ଆଦି ବୃହତ ପ୍ରକଳ୍ପର ଉଦଘାଟନ ସମେତ ଶତାଧିକ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି ।

 

Get real time updates directly on you device, subscribe now.