fbpx

ଦିଲ୍ଲୀ ଗସ୍ତରେ ଯୋଗୀ: ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଭେଟି କରିପାରନ୍ତି ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି । ଆଜି ଯୋଗୀ ଲକ୍ଷ୍ନୌରୁ ଗାଜିଆବାଦ ଯାଇ ପହଂଚିଛନ୍ତି । ସେଠାରୁ ସେ ଦିଲ୍ଲୀ ଅଭିମୁଖେ ସଡକପଥରେ ଯିବେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଅପରାହ୍ନ ୪ଟାରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟିବାର ସମ୍ଭାବନା ରହିଛି ।

ତେବେ ହଠାତ ଯୋଗୀଙ୍କ ଏହି ଗସ୍ତ ପରେ ଏବେ ଉତ୍ତରପ୍ରଦେଶରେ ରାଜନୈତିକ ଆଲୋଚନା ବଢ଼ିବାରେ ଲାଗିଛି । ସେ ଆଜି ସନ୍ଧ୍ୟାରେ ଦିଲ୍ଲୀରେ ଗାଜିଆବାଦ ଏବଂ ନୋଏଡାର ବିଜେପି ନେତାଙ୍କୁ ଭେଟିବେ । ଏହା ପରେ ସେ ବିଜେପିର ଜାତୀୟ ସଂଗଠନର ନେତାମାନଙ୍କୁ ଭେଟିବେ । ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ ୧୧ ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିପାରନ୍ତି ବୋଲି କୁହାଯାଉଛି । ରାଜ୍ୟ ବିଜେପି ସଂଗଠନର ପରିବର୍ତ୍ତନ ତଥା ଯୋଗୀଙ୍କ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ପାଇଁ ଆଦିତ୍ୟନାଥଙ୍କ ଦିଲ୍ଲୀ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଛି ।

କୁହାଯାଉଛି ଯେ, ଯୋଗୀଙ୍କ ଏହି ବୈଠକରେ ଆସନ୍ତା ୟୁପି ବିଧାନସଭା ନିର୍ବାଚନ ସମ୍ପର୍କରେ ଆଲୋଚନା ହେବ ଏବଂ ରଣନୀତି ପ୍ରସ୍ତୁତ ହେବ । ଆହୁରି ମଧ୍ୟ, ୟୁପିରେ ସଂଗଠନ ଏବଂ କ୍ୟାବିନେଟ୍ ବିସ୍ତାର ଉପରେ ଆଲୋଚନା ହୋଇପାରେ । ସେହିପରି ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ କେଉଁ ପ୍ରସଙ୍ଗରେ ଲଢେଇ କରାଯିବ ସେ ବାବଦରେ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିପାରନ୍ତି ।

Get real time updates directly on you device, subscribe now.