fbpx

ଗ୍ରାହକଙ୍କୁ ଲାଗିଲା ମହଙ୍ଗା ଝଟକା: ପୁଣି ବଢ଼ିଲା CNG ଦର

ନୂଆଦିଲ୍ଲୀ: ଗାଡ଼ି ଚାଳକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ପୁଣି ଜନତାଙ୍କୁ ଲାଗିଛି ମହଙ୍ଗା ଝଟକା । ପୁଣି ବୃଦ୍ଧି ପାଇଛି କମ୍ପ୍ରେସଡ ନ୍ୟାଚୁରାଲ ଗ୍ୟାସ (ସିଏନଜି) ଦାମ୍ । ସିଏନଜି ଦାମରେ ୧ ଟଙ୍କା ବୃଦ୍ଧି ହୋଇଥିବା ଜଣାପଡ଼ିଛି । ଏହା ପୂର୍ବରୁ ଗତ ନଭେମ୍ବର ମାସରେ ମଧ୍ୟ ସିଏନଜି ଦର ବୃଦ୍ଧି ପାଇଥିଲା । ଗତମାସ ୨୩ ତାରିଖରେ ଦିଲ୍ଲୀ ଓ ଏନସିଆରରେ ସିଏନଜି ଦର ୧ ଟଙ୍କା ବୃଦ୍ଧି ପାଇଥିଲା । ସିଏନଜି ଦାମ୍ କେଜି ପ୍ରତି ୭୪.୫୯ରୁ ୭୫.୫୯ ଟଙ୍କାକୁ ବୃଦ୍ଧି ପାଇଥିଲା ।

ପୁଣି ଥରେ ସିଏନଜି ଦର ବଢ଼ିବା ଫଳରେ ଗ୍ରାହକଙ୍କୁ ଏବେ ପୁଣି ଏକ ଝଟକା ଲାଗିଛି । ସିଏନଜି ଦର ୧ ଟଙ୍କା ବୃଦ୍ଧି ପାଇଛି । ଆଜି ଠାରୁ ଦିଲ୍ଲୀରେ ସିଏନଜି ଦର ବୃଦ୍ଧି ପାଇବା ସହିତ ଏହି ଦର ୭୫.୫୯ ଟଙ୍କାରେ ପହଞ୍ଚି ଯାଇଛି । ଡିସେମ୍ବର ୧୪ ତାରିଖ ସକାଳ ୬ଟା ସମୟରୁ ଏହି ଦର ବୃଦ୍ଧି ଲାଗୁ ହୋଇଯାଇଛି । ଚଳିତ ବର୍ଷ ୨୦୨୩ରେ ସିଏନଜି ଦର ୪ ଥର ବୃଦ୍ଧି କରାଯାଇଛି । ଏହା ପୂର୍ବରୁ ନଭେମ୍ବର ଓ ଅଗଷ୍ଟରେ ସିଏନଜି ଦରରେ ବୃଦ୍ଧି ଘୋଷଣା କରାଯାଇଥିଲା । ସେହିପରି ଜୁଲାଇ ମାସରେ ଏହି ଦର ହ୍ରାସ କରାଯାଇଥିଲା ।

ଦିଲ୍ଲୀ ନିକଟସ୍ଥ ନୋଏଡ଼ାରେ ସିଏନଜି ଦର କେଜି ପ୍ରତି ୮୨.୨୦ ଟଙ୍କା ରହିଥିବା ବେଳେ ଗ୍ରେଟର ନୋଏଡ଼ାରେ ଏହି ଦର ୮୧.୨୦ ଟଙ୍କା ରହିଛି । ଏହି ରେଟରେ ୧-୧ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି । ସେହିପରି ଗାଜିଆବାଦରେ ନୂଆ ରେଟ୍ ଲାଗୁ ହୋଇ କେଜି ପ୍ରତି ୮୧.୨୦ ଟଙ୍କାରେ ପହଞ୍ଚି ଯାଇଛି । ଏନସିଆରରେ ସାମିଲ ହୋଇଥିବା ଗୁରୁଗ୍ରାମରେ ସିଏନଜି ଦର କେଜି ପ୍ରତି ୮୩.୬୨ ଟଙ୍କା ରହିଛି । ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ଗତ ମାସ ୨୩ ତାରିଖରେ ଏହି ଦର ବୃଦ୍ଧି କରାଯାଇଥିବା ବେଳେ ରେବାଡ଼ିରେ ଦର ହ୍ରାସ ପାଇଥିଲା ।

Get real time updates directly on you device, subscribe now.