ଗାଡ଼ି ଚାଳକଙ୍କୁ ଟ୍ରିପଲ ଆଟାକ୍! ପେଟ୍ରୋଲ-ଡିଜେଲ ସହ ବଢ଼ିଲା CNG ରେଟ୍, ଜାଣନ୍ତୁ କେତେ?

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଗାଡ଼ି ଇନ୍ଧନର ଦାମ୍ ଆକାଶଛୁଆଁ ହେବାରେ ଲାଗିଛି । ପେଟ୍ରୋଲ-ଡିଜେଲରୁ ନେଇ ସିଏନଜି ପର୍ଯ୍ୟନ୍ତ, ସମସ୍ତ ଦାମ୍ ବଢ଼ିବାରେ ଲାଗିଛି । ଦେଶରେ ପ୍ରତିଦିନ ପେଟ୍ରୋଲ-ଡିଜେଲ ଦର ବଢ଼ୁଥିବା ବେଳେ ସିଏନଜି ଉପରେ ବି ମହଙ୍ଗା ଆଟାକ୍ ହୋଇଛି । ରାଜଧାନୀ ଦିଲ୍ଲୀରେ ସିଏନଜି ଦାମ୍ ପୁଣି ବଢ଼ିଯାଇଛି । ସିଏନଜି ଗ୍ୟାସ୍ ଦାମ୍ କିଲୋ ପ୍ରତି ୨.୫୦ ଟଙ୍କା ବଢ଼ିବା ପରେ ଏବେ କିଲୋ ପିଛା ୬୬.୬୧ ଟଙ୍କା ହୋଇଛି । ଗତ ୫ ଦିନରେ ସିଏନଜି ୬.୬୦ ଟଙ୍କା କିଲୋ ପ୍ରତି ବୃଦ୍ଧି ପାଇଛି ।

ଅନ୍ୟପଟେ ଗତ ୧୬ ଦିନରେ ପେଟ୍ରୋଲ-ଡିଜେଲ ଦର ୧୪ ଥର ବଢ଼ିଲାଣି । ଭାରତୀୟ ତୈଳ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍ ୬ ଏପ୍ରିଲରେ ପୁଣିଥରେ ପେଟ୍ରୋଲ-ଡିଜେଲ ରେଟ୍ ମହଙ୍ଗା କରିଛନ୍ତି । ଉଭୟ ପେଟ୍ରୋଲ-ଡିଜେଲ ଦର ଲିଟର ପିଛା ଆଜି ୮୦-୮୦ ପଇସା ବୃଦ୍ଧି ହୋଇଛି । ଏହା ସହ ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ୧୦୫.୪୧ ଟଙ୍କା ଓ ଡିଜେଲ ୯୬.୬୭ ଟଙ୍କା ହୋଇଛି । ମୁମ୍ବାଇରେ ଲିଟର ପିଛା ପେଟ୍ରୋଲରେ ୮୪ ଓ ଡିଜେଲରେ ୮୫ ପଇସା ବଢ଼ିଛି । ଏହି କ୍ରମରେ ଲିଟର ପିଛା ପେଟ୍ରୋଲ ଦର ୧୨୦.୫୦ ଟଙ୍କା ଓ ଡିଜେଲ ୧୦୭.୭୭ ଟଙ୍କା ହୋଇଛି ।