ନୂଆଦିଲ୍ଲୀ: ଏବେ ଟିମ୍ ଇଣ୍ଡିଆର ନୂଆ କୋଚ୍ ହେଉଛନ୍ତି ଗୌତମ ଗମ୍ଭୀର । ରାହୁଲ ଦ୍ରାବିଡଙ୍କ କାର୍ୟ୍ୟକାଳ ଶେଷ ହେବା ପରେ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଭାବେ ନିଯୁକ୍ତି ଦେଇଛି ବିସିସିଆଇ । ତେବେ ଦ୍ରାବିଡଙ୍କ ସହିତ ବ୍ୟାଟିଂ, କୋଚ୍ ବିକ୍ରମ ରାଠୋର, ବୋଲିଂ କୋଚ୍ ପାରସ ମହାମ୍ବ୍ରେ ଓ ଓ ଫିଲ୍ଡିଂ କୋଚ୍ ଟି. ଦିଲ୍ଲୀପଙ୍କ କାର୍ୟ୍ୟକାଳ ମଧ୍ୟ ଶେଷ ହୋଇଛି । ତେଣୁ ଏମାନଙ୍କ ଜାଗାରେ ମଧ୍ୟ ନୂଆ ବ୍ୟକ୍ତିଙ୍କୁ ନିଯୁକ୍ତି ଦେବ ବିସିସିଆଇ ।
ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ବିସିସିଆଇ ଆଗରେ ଗୌତମ ଗମ୍ଭୀର ରଖିଥିବା ସର୍ତ୍ତ ଅନୁସାରେ ଦଳର ସପୋର୍ଟ ଷ୍ଟାଫ୍ ମଧ୍ୟ ତାଙ୍କ ପସନ୍ଦର ହେବେ । ଆଉ ସେଥିରେ ବିସିସିଆଇ ରାଜି ମଧ୍ୟ ହୋଇଥିଲା । ହେଲେ ଏହି କଥାରୁ ଏବେ କୁଆଡେ ବିବାଦର ସୂତ୍ରପାତ ହୋଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବୋଲିଂ କୋଚ୍ ଓ ଫିଲ୍ଡିଂ କୋଚକୁ ନେଇ ଗମ୍ଭୀର ଯେଉଁ ଦୁଇଜଣଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି ତାକୁ ବିସିସିଆଇ ଗ୍ରହଣ କରିବାକୁ ରାଜି ନାହିଁ । ରିପୋର୍ଟ ଅନୁସାରେ ଭାରତୀୟ ଦଳର ଫିଲ୍ଡିଂ କୋଚ୍ ଭାବେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ଜଣ୍ଟି ରୋଡ୍ସଙ୍କୁ ନିଯୁକ୍ତି ଦେବାକୁ ପ୍ରସ୍ତାବ ଦେଇଥିଲେ ଗୌତମ ଗମ୍ଭୀର। କିନ୍ତୁ ତାଙ୍କର ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଛି ବିସିସିଆଇ। କାରଣ ଦଳର ସମସ୍ତ ସପୋର୍ଟ ଷ୍ଟାଫ ଭାରତୀୟ ହୋଇଥିବା ଆବଶ୍ୟକ ବୋଲି ବିସିସିଆଇ ଚାହୁଁଛି । ଟିମ୍ ଇଣ୍ଡିଆର ପୂର୍ବତନ ଫିଲ୍ଡିଂ କୋଚ୍ ଟି ଦିଲ୍ଲୀପଙ୍କୁ ବିସିସିଆଇ ପୁଣି ଥରେ ସେହି ପଦରେ ନିଯୁକ୍ତି ଦେବାକୁ ଆଗ୍ରହୀ ଥିବା କୁହାଯାଉଛି। ବୋଲିଂ କୋଚ୍ କିଏ ହେବେ ତାକୁ ନେଇ ମଧ୍ୟ ଗମ୍ଭୀରଙ୍କ ସହ ବିସିସିଆଇର ମତଭେଦ ହୋଇଛି ।
ରିପୋର୍ଟ ଅନୁସାରେ ପୂର୍ବତନ ବୋଲର ବିନୟ କୁମାରଙ୍କୁ ଟିମ୍ ଇଣ୍ଡିଆର ବୋଲିଂ କୋଚ୍ ଭାବେ ନିଯୁକ୍ତି ଦେବା ପାଇଁ ବିସିସିଆଇକୁ ପ୍ରସ୍ତାବ ଦେଇଥିଲେ ଗୌତମ ଗମ୍ଭୀର । କିନ୍ତୁ ଗମ୍ଭୀରଙ୍କ ଏହି ପ୍ରସ୍ତାବରେ ରାଜି ନାହିଁ ବିସିସିଆଇ । ବିନୟ କୁମାରଙ୍କୁ ବୋଲିଂ କୋଚ୍ କରିବା ପାଇଁ ଆଗ୍ରହ ଦେଖାଇନି ବିସିସିଆଇ । ବରଂ ଟିମ୍ ଇଣ୍ଡିଆର ପୂର୍ବତନ ବୋଲର ଜାହିର ଖାନ୍ କିମ୍ବା ଲକ୍ଷ୍ମୀପତି ବାଲାଜୀଙ୍କୁ ବୋଲିଂ କୋଚ୍ ଭାବେ ଦାୟିତ୍ୱ ଦେବା ପାଇଁ କୁଆଡେ ବିସିସିଆଇ ବିଚାର କରୁଛି । ବୋଲିଂ କୋଚ୍ ଏବଂ ଫିଲ୍ଡିଂ କୋଚ୍ ନିଯୁକ୍ତି ପାଇଁ ଗୌତମ ଗମ୍ଭୀରଙ୍କ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବରେ ବିସିସିଆଇ ରାଜି ନଥିବାରୁ ଗୌତମ ଗମ୍ଭୀର ଖପ୍ପା ହୋଇଛନ୍ତି । ଗୌତମ ଗମ୍ଭୀରଙ୍କ ଦ୍ୱାରା ରଖାଯାଇଥିବା ସର୍ତ୍ତ ଅନୁସାରେ ବିସିସିଆଇ ଏଥିରେ ହସ୍ତକ୍ଷେପ କରିବା କଥା ନୁହେଁ । ତେଣୁ ବିସିସିଆଇ ଉପରେ ଗମ୍ଭୀର ଖପ୍ପା ହୋଇଥିବା ଜଣାପଡିଛି ।
ଆଉ ଏକ ସୂତ୍ରରୁ ଜଣାପଡିଛି କି ଏହି ଖବରରେ ସତ୍ୟତା ନାହିଁ। ଗୌତମ ଗମ୍ଭୀର ତାଙ୍କ ପସନ୍ଦର କୋଚିଂ ସପୋର୍ଟ ଷ୍ଟାଫଙ୍କ ନାଁ ବିସିସିଆଇକୁ ଦେଇଛନ୍ତି। ବିସିସିଆଇ ସେହି ନାଁଗୁଡ଼ିକ ଉପରେ ବିଚାର କରୁଛି। ସହଯୋଗୀ କୋଚ୍ ପଦ ପାଇଁ ଗୌତମ ଗମ୍ଭୀର କୁଆଡେ ଅଭିଷେକ ନାୟାରଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି। ବିସିସିଆଇ ମଧ୍ୟ ତାଙ୍କୁ ନେବାକୁ ରାଜି ଥିବା ଜଣାପଡ଼ିଛି। ଅଭିଷେକ ଏବେ କୋଲକାତା ନାଇଟ ରାଇଡର୍ସରେ ସହଯୋଗୀ କୋଚ୍ ଅଛନ୍ତି। କେକେଆର ଏଥର ଆଇପିଏଲ୍ ଚାମ୍ପିୟନ ହେବା ପରେ ତାଙ୍କର ଅବଦାନକୁ ମଧ୍ୟ ସମସ୍ତେ ବହୁତ ପ୍ରଶଂସା କରିଥିଲେ।