fbpx

ଭୁଶୁଡିଲା ନିର୍ମାଣାଧୀନ ସେତୁ; ୩ ଶ୍ରମିକ ଗୁରୁତର

ଆନନ୍ଦପୁର: ଆନନ୍ଦପୁର ବେଲବାହାଳି କୁଶେଇ ନଦୀରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡି ପଡିଛି । ଫଳରେ ୩ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ତେବେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ସେତୁଟି ପାଣିକୋଇଲି –ରାଜାମୁଣ୍ଡା ଏନଏଚ୍ ୨୦ର କୁଶେଇ ନଦୀ ଉପରେ ନିର୍ମାଣ କରାଯାଉଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ନଦୀର ଦ୍ୱିତୀୟ ସେତୁ କାମ ଚାଲିଥିବା ବେଳେ ଏହି ଅଘଟଣ ହୋଇଛି । ତେବେ ଶ୍ରମିକମାନେ କାମ କରୁଥିବା ବେଳେ ସେତୁର ଗୋଟିଏ ଗାଡରକୁ ଏକ ପିଲର କପ୍ ଉପରେ ଉଠାଇବା ସମୟରେ ହଠାତ୍ ଅଧାରୁ ପିଲରକପ୍‌ଟି ଭାଙ୍ଗିଯାଇଛି । ତାହା ସହିତ ସଂଯୋଗ ହୋଇଥିବା ଗାଡର ମଧ୍ୟ ତଳକୁ ଖସି ପଡିଛି ।  ଫଳରେ ସେତୁର ୨ଟି ବିମ୍ ଭୁଶୁଡି ନଦୀ ଶଯ୍ୟାରେ ପଡିଥିଲା ।

ଯାହାଫଳରେ ନଦୀ ତଳେ କାମ କରୁଥିବା ୩ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ତେବେ ସେମାନଙ୍କୁ  ଉଦ୍ଧାର କରାଯାଇ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଘଷିପୁରା ପୋଲିସ ପହଞ୍ଚି  ଅଧିକ  ତଦନ୍ତ ଆରମ୍ଭ କରିଛି । ଘଟଣାକୁ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ଚକିତ ହେଉଥିବା ବେଳେ ଠିକା ସଂସ୍ଥାର କାମ କୁ ନେଇ ପ୍ରଶ୍ନ ଉଠିଛି । ଅନ୍ୟପକ୍ଷେ ଏହି ଘଟଣା ସମ୍ପର୍କରେ ଖବର ପାଇ ଠିକା ସଂସ୍ଥାର କର୍ମଚାରୀ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି

Get real time updates directly on you device, subscribe now.