ବଡ଼ ଖବର: ଓଡ଼ିଶାରେ ୧୦ରୁ କଲେଜ-ବିଶ୍ୱବିଦ୍ୟାଳୟ ବନ୍ଦ, SRCଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣ ବଢ଼ୁଥିବାରୁ କଟକଣାକୁ ଆହୁରି କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର । ଏହାରି ମଧ୍ୟରେ କଲେଜ ଓ ବିଶ୍ୱବିଦ୍ୟାଳୟକୁ ନେଇ ଆସିଛି ବଡ଼ ଖବର । ଆସନ୍ତା ୧୦ରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ । କେବଳ ମେଡିକାଲ କଲେଜ ଓ ନର୍ସିଂ କଲେଜ ବ୍ୟତୀତ ରାଜ୍ୟର ସମସ୍ତ କଲେଜ ବନ୍ଦ ରହିବ । ତେବେ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ନେଇ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଛି । କଲେଜ, ବିଶ୍ୱବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନ ଅନଲାଇନ୍ କ୍ଲାସ କରିବ ବୋଲି କୁହାଯାଇଛି ।

କଲେଜ, ବିଶ୍ୱବିଦ୍ୟାଳୟର ସମସ୍ତ ହଷ୍ଟେଲ ମଧ୍ୟ ୧୦ରୁ ବନ୍ଦ ହେବ । ଯେଉଁ ପିଲାଙ୍କ ଶିକ୍ଷାଗତ କାର୍ଯ୍ୟକଳାପ ଥିବ, ସେମାନେ ଅଣ୍ଡରଟେକିଂ ଦେବେ । ସେହି ଛାତ୍ରଛାତ୍ରୀମାନେ ଅଣ୍ଡରଟେକିଂ ଦେଇ ହଷ୍ଟେଲରେ ରହିପାରିବେ । ଚାଲୁ ରହିଥିବା ସବୁ ଅଫଲାଇନ୍ ପରୀକ୍ଷା ଚାଲୁ ରଖିବାକୁ ଅନୁମତି ଦିଆଯାଇଛି । କଲେଜ, ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ ଡ୍ୟୁଟି କରିବେ । ଅଫଲାଇନରେ ଚାଲୁଥିବା ସମସ୍ତ କୋଚିଂ ବନ୍ଦ ହେବ, କେବଳ ଅନଲାଇନରେ ସେସବୁ ଚାଲିବ ।

ତେବେ ରାଜ୍ୟରେ କରୋନା ସହିତ ଓମିକ୍ରନ ବଢ଼ିବାରେ ଲାଗିଛି । ଜାନୁଆରୀ ମାସର ଗାଇଡଲାଇନ୍ ଆଜିଠାରୁ ଲାଗୁ ହେବ । ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ଯାଏ ଜାରି ରହିବ କର୍ଫ୍ୟୁ କଟକଣା । ଦୋକାନ ବଜାର, ସପିଙ୍ଗ୍‌ ମଲରେ ଭିଡ଼ ନିୟନ୍ତ୍ରଣ କରିବାକୁ ନିର୍ଦେଶ ଦିଆଯାଇଛି । ନିୟମ ଉଲ୍ଲଙ୍ଘନ କଲେ ୭ ଦିନ ପାଇଁ ମଲ୍‌, ଦୋକାନ ବନ୍ଦ ହେବ । ରାସ୍ତାକଡ଼ ଦୋକାନରେ, ସର୍ବାଧିକ ୫ ଗ୍ରାହକ ରହିବେ ବୋଲି କୁହାଯାଇଛି । ରାଜ୍ୟ ସରକାରଙ୍କ ସମସ୍ତ ଅଫିସ୍ ଆଜି ଠାରୁ ୫୦ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତିରେ ଚାଲିବ । ଏହି ସମୟରେ ମୋବାଇଲ ଓ ପାଟ୍ରୋଲିଂ କଡ଼ାକଡ଼ି କରାଯିବ ।

Get real time updates directly on you device, subscribe now.