fbpx

ରାଜ୍ୟ ପୋଲିସ ବିଭାଗରେ ଚଡ଼କ: ବିଦାହେବେ ଅପାରଗ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀ, ୧୦ ତାରିଖ ମଧ୍ୟରେ ଦିଆଯିବ ତାଲିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମଧ୍ୟରେ ପଡ଼ିଛି ଚଡ଼କ । ଅପାରଗ, ଅବିଶ୍ୱସନୀୟ, କାର୍ଯ୍ୟଦକ୍ଷତାହୀନ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ । ତେବେ ଏହି ତାଲିକାରେ ୨ ଶହରୁ ଅଧିକ ଇନ୍ସପେକ୍ଟର ରହିଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ତେବେ ଆସନ୍ତା ୧୦ ତାରିଖ ସୁଦ୍ଧା ତାଲିକା ପ୍ରଦାନ କରିବାକୁ କୁହାଯାଇଛି ।

ଗତ ୨୦୧୯ ମସିହା ସେପ୍ଟେମ୍ବର ମାସରେ ଜିଏ ବିଭାଗର ଚିଠିକୁ ଆଧାର କରି ପୋଲିସ ଆଇଜି ପର୍ସନେଲଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଚିଠି କରାଯାଇଛି । ଏନେଇ ବିଭିନ୍ନ ପୋଲିସ ଜିଲ୍ଲା, ଏଡିଜି, ରେଞ୍ଜ ଅଧିକାରୀଙ୍କୁ ଚିଠି ଲେଖି ଏକ ମାନଦଣ୍ଡ ନିର୍ଦ୍ଧାରଣ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ କାମ କରୁଥିବା ଇନ୍ସପେକ୍ଟରଙ୍କ ନାମ ସଂଲଗ୍ନ କରାଯାଇଛି । ଆସନ୍ତା ୧୦ ତାରିଖ ମଧ୍ୟରେ ବିସ୍ତୃତ ବିବରଣୀ ସହିତ ତାଲିକା ଦେବାକୁ କୁହାଯାଇଛି । ତେବେ ଉକ୍ତ ବିବରଣୀ ମଧ୍ୟରେ ଇନ୍ସପେକ୍ଟରମାନଙ୍କର ଗତ ୫ ବର୍ଷର ପ୍ରଶଂସା ପାତ୍ର, ପୁରସ୍କାର, ଦଣ୍ଡ ବିଧାନର ତଥ୍ୟ ଉଲ୍ଲେଖ କରିବା ପାଇଁ କୁହାଯାଇଛି । ସେମାନଙ୍କ ନାମରେ ଅପରାଧିକ ମାମଲା, ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ, ଭିଜିଲାନ୍ସ ମାମଲା ରହିଥିଲେ ଉଲ୍ଲେଖ କରାଯିବ । ଯେଉଁମାନେ ୩୦ ବର୍ଷରୁ ଅଧିକ ବର୍ଷ କାର୍ଯ୍ୟ କରିଥିବେ ଓ ବୟସ ୫୦ରୁ ୫୫ ବର୍ଷ ମଧ୍ୟରେ ହୋଇଥିବ ସେମାନେ ଏହି ତାଲିକାରେ ସ୍ଥାନ ପାଇବେ । ରେଞ୍ଜ ଅଫିସଗୁଡ଼କ ଏହି ତାଲିକା ପ୍ରଦାନ କରିବେ । ତେବେ ଏହି ଖବର ଶୁଣିବା ପରେ ଦୁର୍ନୀତିରେ ଲିପ୍ତ ଥିବା ବହୁ ଅଧିକାରୀଙ୍କ ମଧ୍ୟରେ ଭାଳେଣି ପଡ଼ିବା ଆରମ୍ଭ ହୋଇଯାଇଛି ।

Get real time updates directly on you device, subscribe now.