fbpx

କଂଗ୍ରେସରେ ‘ଏକ ପରିବାର, ଏକ ଟିକଟ୍’ ନିୟମ ଉପରେ ସହମତି ପ୍ରକାଶ, କ’ଣ ଗାନ୍ଧୀ ପରିବାର ଉପରେ ଲାଗୁ ହେବ ?

ନୂଆଦିଲ୍ଲୀ: ଚିନ୍ତନ ଶିବିର ପାଇଁ ରାଜସ୍ଥାନ ଉଦୟପୁରରେ କଂଗ୍ରେସର ଚାଲିଛି ଜୋରଦାର ପ୍ରସ୍ତୁତି। ପାର୍ଟିର କେମିତି ପୁନରୁଥାନ ହେବ ସେ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ତିନି ଦିନିଆ ଚିନ୍ତନ ଶିବିର ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ଅଜୟ ମାକନ କହିଛନ୍ତି, ପାର୍ଟି ଏକ ପରିବାର ଏକ ଟିକଟ୍ ନିୟମ ଉପରେ ସଂପୂର୍ଣ୍ଣ ଏକମତ। ଚିନ୍ତନ ଶିବିର ପରେ ପାର୍ଟିରେ ବଡ ଧରଣର ସାଙ୍ଗଠନିକ ପରିବର୍ତ୍ତନ କରାଯିବ। ଗୋଟିଏ ପରିବାରର ଜଣଙ୍କୁ ଟିକଟ୍ ମିଳିବ। ପରିବାରର ଅନ୍ୟ ସଦସ୍ୟଙ୍କୁ ଅତି କମରେ ପାଞ୍ଚ ବର୍ଷ ଯାଏ ସଂଗଠନରେ କାମ କରିବା ଉପରେ ହିଁ ଟିକଟ୍ ମିଳିବ ବୋଲି ଅଜୟ ମାକନ କହିଛନ୍ତି।

ମାକନ କହିଛନ୍ତି, ଏହି ପ୍ରସ୍ତାବ ଉପରେ କମିଟିର ସମସ୍ତ ସଦସ୍ୟ ପ୍ରାୟତଃ ସଂପୂର୍ଣ୍ଣ ଏକମତ ଯେ, ପାର୍ଟି ନେତା ନିଜ ପରିବାର ଏବଂ ସଂପର୍କୀୟଙ୍କୁ ଟିକଟ୍ ଦେବେ ନାହିଁ। ପାର୍ଟି ନେତା ଏହା ସୁନିଶ୍ଚିତ କରିବେ ଯେ, ପାର୍ଟିରେ ବିନା କାମ କରି ପରିବାରର ସଦସ୍ୟ କିମ୍ବା ସଂପର୍କୀୟଙ୍କୁ ଯେମିତି ଟିକଟ୍ ନମିଳେ। ପାର୍ଟି ପାଇଁ ଅତି କମରେ ୫ ବର୍ଷ କାମ କରିଥିଲେ ଯାଇ ହିଁ ଟିକଟ୍ ମିଳିବ ବୋଲି କଂଗ୍ରେସର ବରିଷ୍ଠ ନେତା କହିଛନ୍ତି।

ଏନଡିଟିଭିର ରିପୋର୍ଟ ଅନୁଯାୟୀ, ଯଦି ଚିନ୍ତନ ଶିବିରରେ ଏକ ପରିବାର, ଏକ ଟିକଟ୍ ନିୟମକୁ ଯଦି ମଞ୍ଜୁରୀ ମିଳେ ତେବେ ସମ୍ଭବତଃ ଏହା ଗାନ୍ଧୀ ପରିବାର ଉପରେ ମଧ୍ୟ ଲାଗୁ ହେବ। ନେତା କହିଛନ୍ତି କଂଗ୍ରେସ ସାଂପ୍ରଦାୟିକ ଧ୍ରୁବୀକରଣ ଉପରେ ଆଲୋଚନା କରିବାକୁ ଯୋଜନା କରିଛି। ରାଜ୍ୟ ବିଧାନସଭା ନିର୍ବାଚନ ଏବଂ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି କରାଯାଉଛି।

ଅଜୟ ମାକନ କହିଛନ୍ତି, କୌଣସି ବି ବ୍ୟକ୍ତି ଯିଏ କ୍ରମାଗତ ପଦରେ ଅଛନ୍ତି, ସେମାନଙ୍କୁ ପଦ ଛାଡିବାକୁ ପଡିବ ଏବଂ ସେହି ବ୍ୟକ୍ତିଙ୍କୁ ପୁନର୍ବାର ଉକ୍ତ ପଦରେ ଫେରିବା ପାଇଁ ତିନି ବର୍ଷର କୁଲିଂ ପିରିୟଡ ଦେଇ ଯିବାକୁ ପଡିବ। ଚିନ୍ତନ ଶିବିରରେ ଏହି ପ୍ରସ୍ତାବ ରଖାଯାଇଛି ଯେ, ପ୍ରତିଟି ସ୍ତରରେ ୫୦ ପ୍ରତିଶତ ସ୍ଥାନ ଯୁବ ବର୍ଗଙ୍କୁ ଦିଆଯାଉ।

 

Get real time updates directly on you device, subscribe now.