fbpx

ମୋଦୀଙ୍କ ପାଇଁ ସତର୍କ ଘଣ୍ଟି: ଏକାଠି ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି କେଜ୍ରି-ରାହୁଲ, BJPକୁ କଡ଼ା ଟକ୍କର ଦେବେ ବିରୋଧୀ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ମହାଲଢ଼େଇ ଯେତିକି ଯେତିକି ନିକଟତର ହେଉଛି, ଦେଶର ରାଜନୈତିକ ମହଲ ସେତିକି ମାତ୍ରାରେ ସରଗରମ୍ ହେବାରେ ଲାଗିଛି । ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିଚାଳିତ ବିଜେପି ରଥକୁ ରୋକିବା ପାଇଁ ବିରୋଧୀମାନେ ଏକାଠି ହେବା ପାଇଁ ପୂର୍ବରୁ ଏକାଧିକବାର ପ୍ରୟାସ କରିଥିଲେ ହେଁ ସେ କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିପାରିନାହାନ୍ତି । ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀ ଗସ୍ତରେ ଯାଇ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ସୁପ୍ରିମୋ ଶରଦ ପାୱାର ଓ ବିରୋଧୀ ଶିବିରର ଏକାଧିକ ହେଭିୱେଟଙ୍କ ସହ ଆଲୋଚନା କରିଥିଲେ । ମାତ୍ର ତାହା ଆଉ ଆଗକୁ ବଢ଼ି ପାରିନଥିଲା ।

ତେବେ ନିକଟରେ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ତୃଣମୂଳ କଂଗ୍ରେସ (ଟିଏମସି) ଅଧ୍ୟକ୍ଷା ମମତା ଆସନ୍ତା ନିର୍ବାଚନରେ ଏକକୀ ଲଢ଼ିବେ ବୋଲି ଘୋଷଣା କରିଛନ୍ତି । ଏହା ପୂର୍ବରୁ ଆମ୍ ଆଦାମୀ ପାର୍ଟି (ଆପ) ଆବାହକ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏକା ଲଢ଼ିବେ ବୋଲି ପରୋକ୍ଷରେ ଇସାରା ଦେଇଥିଲେ । ବିଜେପିର ହାତ ଛାଡ଼ିବା ପରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସହ ମିଶି ବିହାରରେ ସରକାର ଗଠନ କରିଥିଲେ ନୀତିଶ କୁମାର । ମୋଦୀଙ୍କୁ ରୋକିବାକୁ ହେଲେ ବିରୋଧୀମାନେ ଏକତ୍ର ହେବା ଜରୁରୀ ବୋଲି ନୀତିଶ ମଧ୍ୟ ବୟାନ ଦେଇଥିଲେ ।

ତେବେ ମୋଟାମୋଟି ଭାବେ କହିବାକୁ ଗଲେ ବିରୋଧୀମାନେ ଏକାଠି ହେଲେ କେତେଦୂର ସଫଳତା ହାସଲ କରିପାରିବେ ତାହା ଅଲଗା କଥା । ମାତ୍ର ଏହା ସାରା ଦେଶରେ ନିଶ୍ଚିତ ଭାବେ କିଛିଟା ମୋଦୀ ବିରୋଧୀ ହାୱା ସୃଷ୍ଟି କରିପାରିବ ବୋଲି ରାଜନୈତିକ ବିଶାରଦମାନେ ମତ ଦେଉଛନ୍ତି । ତେବେ ଏହା ମଧ୍ୟରେ ବିରୋଧୀ ଶିବିରରୁ ଆସିଛି ଏକ ଅପଡେଟ୍ । କଂଗ୍ରେସ ଓ ଆପ ଏକାଠି ହେବା ନେଇ କିଛିଟା ଚର୍ଚ୍ଚା ସୃଷ୍ଟି ହେଉଛି । ବର୍ତ୍ତମାନ ବିଦେଶରେ ଥିବା କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଭାରତକୁ ଫେରିବା ପରେ ଏ ବାବଦରେ କିଛି ନିଷ୍ପତ୍ତି ହୋଇପାରେ ।

ନିକଟରେ ବିରୋଧୀ ଦଳର ୯ ଜଣ ନେତା ସିବିଆଇ ଓ ଇଡିର ଦୁରୂପଯୋଗକୁ ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଅ।।ଇ ଗିରଫ କରିବା ପରେ ବିରୋଧୀମାନେ ଭୟଙ୍କର ଭାବେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ସବୁଠାରୁ ବଡ଼କଥା ହେଉଛି ଏହି ୯ଟି ବିରୋଧୀ ଦଳ ମଧ୍ୟରେ କଂଗ୍ରେସ ନଥିଲା । ତେଣୁ ଅଣକଂଗ୍ରେସ ନେତାମାନେ ଆପ ଓ କଂଗ୍ରେସକୁ ଗୋଟିଏ ମଞ୍ଚକୁ ଆଣିବାକୁ ପ୍ରୟାସ କରୁଛନ୍ତି ।

ତେବେ କୁହାଯାଉଛି, ନୀତିଶ, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ଏନସିପି ମୁଖ୍ୟ ଶରଦ ପାୱାର ଏହି ପ୍ରସଙ୍ଗରେ କଂଗ୍ରେସ ସହ ବୁଝାମଣା କରୁଛନ୍ତି । ମଦ ପଲିସୀକୁ ନେଇ କଂଗ୍ରେସ କ୍ରମାଗତ ଭାବେ ଆପ ଉପରେ ଆକ୍ରମଣାତ୍ମକ ମନୋଭାବ ପୋଷଣ କରିଆସିଛି । ତେଣୁ ସିସୋଦିଆଙ୍କ ଗିରଫଦାରୀ ପରେ ଆପ ସପକ୍ଷରେ ମତ ଦେଇ ଶରଦ କଂଗ୍ରେସ ଉପରେ ଚାପ ସୃଷ୍ଟି କରିଛନ୍ତି । କଂଗ୍ରେସ ଓ ବିରୋଧୀ ଦଳଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ କଂଗ୍ରେସ କେନ୍ଦ୍ରୀୟ ସ୍ତରରେ ଆପ ଉପରେ ନରମ ମନୋଭାବ ପୋଷଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିବା କୁହାଯାଉଛି ।

ବିରୋଧୀ ଦଳର ନେତାମାନେ କଂଗ୍ରେସକୁ ଏକତା ଉପରେ କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି । ତେବେ ଆପ-କଂଗ୍ରେସର ସମ୍ପର୍କ ଉପରେ ଏବେ ସଭିଙ୍କ ଉପରେ ନଜର ରହିଛି । ଆପ ଓ କଂଗ୍ରେସ ଏକାଠି ହେବା ବୋଧହୁଏ ଏତେ ସହଜ ହୋଇନପାରେ । କାରଣ ବର୍ତ୍ତମାନ ସାରା ଭାରତବର୍ଷରେ ୨ ନମ୍ବର ନେତା ଭାବେ କେଜ୍ରି-ରାହୁଲଙ୍କ ମଧ୍ୟରେ ଏକପ୍ରକାରର ଶୀତଳଯୁଦ୍ଧ ଚାଲିଛି । ଏହି କାରଣରୁ ହିଁ ଅତୀତରେ ସୋନିଆ ବିରୋଧୀ ମେଣ୍ଟଠାରୁ ନିଜକୁ ଦୂରେଇ ରଖିଥିବା ଚର୍ଚ୍ଚା ହେଉଛି । ତେଣୁ ରାଜନୈତିକ ପାଣି କୁଆଡ଼େ ଗତି କରୁଛି ତାହା ଆଗକୁ ଜଣାପଡ଼ିବ ।

Get real time updates directly on you device, subscribe now.