fbpx

୧୬ ଜଣିଆ ନିର୍ବାଚନ କମିଟି ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବ । ଏହା ପୂର୍ବରୁ ଚଳିତ ବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେଣୁ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ଏନେଇ ନିଜ ନିଜର ରଣନୀତି ପ୍ରସ୍ତୁତ କରିବା ସହ ନିଜ ସଂଗଠନରେ ନୂଆ ନୂଆ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରୁଛନ୍ତି । ତେବେ ଏହା ମଧ୍ୟରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ନୂଆ ନିର୍ବାଚନ କମିଟି ଗଠନ କରିଛନ୍ତି ।

ଖବର ମୁତାବକ, ଖଡ଼ଗେ କଂଗ୍ରେସର ୧୬ ଜଣିଆ ନିର୍ବାଚନ କମଟି ଗଠନ କରିଛନ୍ତି । ଏହି ଟିମରେ ଖଡ଼ଗେଙ୍କ ବ୍ୟତୀତ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ଅମ୍ବିକା ସୋନି, ଅଧୀର ରଞ୍ଜନ ଚୌଧୁରୀ, ସଲମାନ ଖୁର୍ଶିଦ, ମଧୁସୂଦନ ମିସ୍ତ୍ରୀ, ଏନ. ଉତ୍ତମ କୁମାର ରେଡ୍ଡୀ, ଟି.ଏସ ସିଂହ ଦେବ, କେ.ଜେ ଜିୟୋଗ୍ରେ, ପ୍ରୀତମ ସିଂହ, ମହମ୍ମଦ ଜାଭେଦ, ଅମି ୟାଜ୍ଞନିକ, ପି.ଏଲ ପୁନିୟା, ଓଙ୍କାର ମରକାମ ଓ କେ.ସି ବେଣୁଗୋପାଳ ରହିଛନ୍ତି ।

କଂଗ୍ରେସ ବିରୋଧୀଙ୍କ ମେଣ୍ଟ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ)ର ଏକ ଅଂଶ ହୋଇଥିବା ବେଳେ ବୈଠକରେ ମଧ୍ୟ ସାମିଲ ହୋଇଛି । ଅଗଷ୍ଟ ୩୧ରେ ମୁମ୍ବାଇଠାରେ ଆୟୋଜିତ ହୋଇଥିବା ଇଣ୍ଡିଆର ବୈଠକରେ ସମସ୍ତ ଦଳ ଏକାଠି ହୋଇ ନିର୍ବାଚନ ଲଢ଼ିବାକୁ ସଂକଳ୍ପ ନେଇଥିଲେ । କେନ୍ଦ୍ର ସରକାରଙ୍କ ତରଫରୁ ଆସନ୍ତା ୧୮-୨୨ରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ । ଏହା ପୂର୍ବରୁ କଂଗ୍ରେସ ଆଜି ସନ୍ଧ୍ୟା ୫ଟାରେ ନୂଆଦିଲ୍ଲୀର ୧୦ ଜନପଥରେ ସଂସଦୀୟ ରଣନୀତି ଗ୍ରୁପର ବୈଠକ ଆୟୋଜନ କରିବ ।

Get real time updates directly on you device, subscribe now.