fbpx

ପୂର୍ବତନ ସାଂସଦଙ୍କ ପାଇଁ ବର୍ଷକୁ ୭୦ କୋଟି ଖର୍ଚ୍ଚ: ପେନସନ ବନ୍ଦ ପାଇଁ ଅର୍ଥମନ୍ତ୍ରୀଙ୍କୁ ଚିଠି, କ’ଣ କହୁଛି ନିୟମ

ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ଉଭୟ ଲୋକସଭା ଓ ରାଜ୍ୟସଭାର ୪,୭୯୬ ଜଣ ପୂର୍ବତନ ସାଂସଦ ପେନସନ ନେଉଛନ୍ତି । ସେମାନଙ୍କର ଏହି ପେନସନ ପାଇଁ ପ୍ରତିବର୍ଷ ୭୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏମାନଙ୍କ ମଧ୍ୟରେ ଏପରି ୩୦ ଜଣ ପୂର୍ବତନ ସାଂସଦ ରହିଛନ୍ତି, ଯେଉଁମାନଙ୍କର ପରଲୋକ ଘଟିଥିବା ବେଳେ ସେମାନଙ୍କର ପରିବାର ଏହି ପେନସନ ନେଉଛନ୍ତି । ତେବେ ଏପରି ପୂର୍ବତନ ସାଂସଦଙ୍କର ପେନସନକୁ ବନ୍ଦ କରିବା ପାଇଁ ଜଣେ କଂଗ୍ରେସ ସାଂସଦ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିକଟକୁ ଚିଠି ଲେଖିଛନ୍ତି ।

ମହାରାଷ୍ଟ୍ରର କଂଗ୍ରେସ ସାଂସଦ ସୁରେଶ ଛଦ୍ମନାଥ ବାଲୁ ଧନୋରକର ନିର୍ମଳାଙ୍କୁ ଚିଠି ଲେଖିଛନ୍ତି, ପୂର୍ବତନ ସାଂସଦଙ୍କ ପରିବାର ଆର୍ଥିକ କ୍ଷେତ୍ରରେ ମଜବୁତ ସ୍ଥିତିରେ ରହିଛନ୍ତି, ତେଣୁ ସେମାନଙ୍କର ପେନସନକୁ ବନ୍ଦ କରିଦିଆଯାଉ । ଏପରି ସାଂସଦଙ୍କ ମଧ୍ୟରେ ରାହୁଲ ବଜାଜ, ସଞ୍ଜୟ ଡାଲମିୟା, ମାୟାବତୀ, ସୀତାରାମ ୟେଚୁରୀ, ମଣି ଶଙ୍କର ଆୟର, ବଲିଉଡ ଅଭିନେତ୍ରୀ ରେଖା ଓ ଦକ୍ଷିଣ ସୁପରଷ୍ଟାର ଚିରଞ୍ଜିବୀ ସାମିଲ ରହିଛନ୍ତି । ପୂର୍ବତନ ସାଂସଦମାନେ ଇନକମ ଟ୍ୟାକ୍ସର ୩୦ ପ୍ରତିଶତ ସ୍ଲାବରେ ଆସୁଛନ୍ତି, ତେଣୁ ସେମାନଙ୍କୁ ପେନସନ ମିଳିବା ଅନୁଚିତ । ଏନେଇ ପଦକ୍ଷେପ ନିଆଗଲେ ଦେଶଭକ୍ତ ସାଂସଦମାନେ କୌଣସି ଆପତ୍ତି କରିବେ ନାହିଁ ବୋଲି ମୁଁ ନିଶ୍ଚିତ ଅଟେ ।

ଉଭୟ କକ୍ଷର ସାଂସଦଙ୍କ ବେତନ ଓ ପେନସନ ପାଇଁ ୧୯୫୪ ଆଇନ ରହିଥିବା ବେଳେ ଅନେକ ସମୟରେ ଏହାକୁ ସଂଶୋଧନ କରାଯାଇଥାଏ । ଲୋକସଭାର ଗୋଟିଏ କାର୍ଯ୍ୟକାଳ ଅର୍ଥାତ ୫ ବର୍ଷ ପୂରଣ କରିବା ପରେ ଜଣେ ସାଂସଦ ୨୫ ହଜାର ପେନସନ ପାଇଁ ହକଦାର ହୋଇଥାନ୍ତି । ସେହିପରି ରାଜ୍ୟସଭାରେ ୬ ବର୍ଷ ପୂରଣ କରିବା ପରେ ସେ ୨୭ ହଜାର ପେନସନ ପାଇଁ ହକଦାର ହୋଇଥାନ୍ତି । ଜଣେ ଯଦି ଦ୍ୱିତୀୟ ଥର ରାଜ୍ୟସଭାରେ କାର୍ଯ୍ୟକାଳ ପୂରଣ କରନ୍ତି, ତେବେ ସେ ମାସକୁ ୩୯ ହଜାର ପେନସନ ପାଇଁ ହକଦାର ହୋଇଥାନ୍ତି ।

ତେବେ ଯଦି ଜଣେ ବ୍ୟକ୍ତି ଗୋଟିଏ ଦିନ ପାଇଁ ସାଂସଦ ବା ବିଧାୟକ ହୁଅନ୍ତି, ତେବେ ସେ ଆଜୀବନ ପେନସନ ପାଇଥାନ୍ତି । ଏଥିସହିତ ଆହୁରି ଅନେକ ସୁବିଧା ମଧ୍ୟ ରହିଛି । ପୂର୍ବତନ ସାଂସଦ ଟ୍ରେନରେ ସେକେଣ୍ଡ ଏସିରେ ମାଗଣାରେ ଯାତ୍ରା କରିପାରିବେ । ଯଦି ସେ ଏକା ଯାତ୍ରା କରନ୍ତି ତେବେ ଫାଷ୍ଟ ଏସିରେ ମଧ୍ୟ ଯାତ୍ରା କରିପାରିବେ ।

Get real time updates directly on you device, subscribe now.