ନୂଆଦିଲ୍ଲୀ: ନଭେମ୍ବର ମାସରେ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଗତ ୯ ତାରିଖରେ ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ତାରିଖ ଘୋଷଣା କରିଥିଲେ । ନଭେମ୍ବର ୩ରୁ ୩୦ ତାରିଖ ପର୍ଯ୍ୟନ୍ତ ୫ଟି ରାଜ୍ୟରେ ଅଲଗା ଅଲଗା ଭାବେ ମତଦାନ ହେବ । ମଧ୍ୟପ୍ରଦେଶରେ ନଭେମ୍ବର ୧୭ରେ ଏବଂ ଛତିଶଗଡ଼ରେ ନଭେମ୍ବର ୭ ଓ ୧୭ ତାରିଖରେ ଦୁଇଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ ।
ତେବେ ଏହା ମଧ୍ୟରେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥ ଛିନ୍ଦବାଡ଼ା ଆସନରୁ ନିର୍ବାଚନ ଲଢ଼ିବେ । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ପୁତ୍ର ଜୟବର୍ଦ୍ଧନ ସିଂହ ରାଘୋଗଡ଼ରୁ ନିର୍ବାଚନ ଲଢ଼ିବେ । ମୋଟ ୧୪୪ ପ୍ରାର୍ଥୀଙ୍କ ତାଲିକା ଦଳ ପକ୍ଷରୁ ଜାରି କରାଯାଇଛି ।
ଗତ ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ମଧ୍ୟପ୍ରଦେଶରେ କ୍ଷମତାକୁ ଆସିଥିଲା । ତେଣୁ ଏଥର ମଧ୍ୟ ଦଳ ବହୁମତ ହାସଲ କରି ସରକାର ଗଠନ ପାଇଁ ଜୋରଦାର ଭାବେ ପ୍ରୟାସ ଜାରି ରଖିଛି । ସେହିପରି ଛତିଶଗଡ଼ରେ କଂଗ୍ରେସ କ୍ଷମତାରେ ରହିଥିବା ବେଳେ ଏହା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଲିଷ୍ଟ ଜାରି କରାଯାଇଛି । ମୋଟ ୩୦ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ତେଲେଙ୍ଗାନାର ୫୫ଟି ଆସନ ପାଇଁ ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ଓ ବିଜେପି ମରେ ହେଭି ଟକ୍କର ହେବ ।