fbpx

ରାଜ୍ୟର ସମସ୍ତ ପଞ୍ଚାୟତରେ ନିର୍ମାଣ ହେବ ‘କନଭେନସନ ସେଣ୍ଟର’ ଓ ପାଠାଗାର: ୫ ହଜାର କୋଟିର ବଜେଟ ଉପସ୍ଥାପନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗ୍ରାମାଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସରତ ରହିଛନ୍ତି । ଗ୍ରାମାଞ୍ଚଳରେ ବସବାସ ଲୋକଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଗମନଗମନ ସୁବିଧା ସହିତ ପ୍ରତି ଗାଁରେ କିଭଳି ବ୍ୟାଙ୍କିଂ ସେବା ପହଞ୍ଚିବ ପାରିବ, ଗ୍ରାମ୍ୟ ଅର୍ଥନୀତିର ବିକାଶ କିପରି ହୋଇ ପାରିବ ସେନେଇ ପୂର୍ବରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ରାଜ୍ୟର ସମସ୍ତ ପଞ୍ଚାୟତରେ ‘କନଭେନସନ ସେଣ୍ଟର’ ନିର୍ମାଣ କରାଯିବ । ସେଥିପାଇଁ ପ୍ରତି ପଞ୍ଚାୟତକୁ ୬୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।

ସୂଚନା ମୁତାବକ, କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ସହାୟତା ଯୋଜନା (ସାକି)ରେ ରାଜ୍ୟର ୬୭୯୮ଟି ପଞ୍ଚାୟତରେ ବହୁମୁଖୀ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଛି । ଏଥିସହିତ ପଞ୍ଚାୟତମାନଙ୍କରେ ପାଠାଗାର ମଧ୍ୟ ନିର୍ମାଣ କରାଯିବ । ଏନେଇ ପୂର୍ତ୍ତି ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଥିବା ବେଳେ ତାହା ଏବେ ନିଷ୍ପତ୍ତି ଅପେକ୍ଷାରେ ରହିଛି । ଏହି ବହୁମୁଖୀ କେନ୍ଦ୍ର ନିର୍ମାଣ କରି ପଞ୍ଚାୟତବାସୀଙ୍କ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟ କିପରି ସମ୍ଭବ ହୋଇପାରିବ ସେନେଇ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି ।

ରାଜ୍ୟରେ କନଭେନସନ କେନ୍ଦ୍ର ନିର୍ମାଣ ନେଇ ନିକଟରେ ରାଜ୍ୟ ଲୋକସେବା ଭବନରେ ଆୟୋଜିତ ବୈଠକରେ ଆଲୋଚନା ହୋଇଥିଲା । ଏହି ସେଣ୍ଟର ସ୍ଥାପନ କରାଯିବା ଫଳରେ ବନ୍ୟା, ବାତ୍ୟା ସମୟରେ ଲୋକଙ୍କୁ ସହାୟତା ମିଳିପାରିବ । ଏହି କେନ୍ଦ୍ରରେ ଲୋକଙ୍କର ବିବାହ କାର୍ଯ୍ୟ, ସାମୂହିକ କାର୍ଯ୍ୟ କରାଯିବ । ତେବେ ଏହି କେନ୍ଦ୍ର ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୫ ହଜାର କୋଟି ମଗାଯାଇଥିବା ବେଳେ ମୁଖ୍ୟ ସଚିବ ୩ ହଜାର କୋଟିର ଯୋଜନାକୁ କାର୍ଯ୍ୟକାରୀ କରିବାକୁ କହିଥିଲେ । ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ସହାୟତା ଯୋଜନାରେ ରାଜ୍ୟ ଭାଗରେ ୪୫୨୮ କୋଟି ଟଙ୍କା ପଡ଼ିଥିବା ସେ କହିଥିଲେ । ତେବେ କେନ୍ଦ୍ର ସରକାରଙ୍କ ଯୋଜନାକୁ ଛାଡ଼ି ୨୭,୬୪୦ କୋଟି ବିନିଯୋଗ ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.