fbpx

୬ ମାସରେ ସର୍ବନିମ୍ନ ସ୍ତରରେ କରୋନା ମୃତ୍ୟୁ; ମେ ମାସ ପରଠାରୁ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଚଳିତ ନଭେମ୍ବର ମାସରେ ସର୍ବନିମ୍ନ ସ୍ତରରେ ରହିଛି କରୋନା ମୃତ୍ୟୁ ସଂଖ୍ୟା । ମେ ମାସ ଠାରୁ ହିସାବକୁ ନେଲେ ବିଗତ ୬ ମାସରେ କରୋନା ମୃତ୍ୟୁ ସଂଖ୍ୟା ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଏହା ସହିତ କ୍ରମାଗତ ଷଷ୍ଠ ମାସ ପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି । ନଭେମ୍ବର ମାସରେ ସମୁଦାୟ ୩.୧ ଲକ୍ଷ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ମେ ୬ ତାରିଖରେ ଗୋଟିଏ ଦିନରେ ସର୍ବାଧିକ ୪ ଲକ୍ଷ ୧୪ ହଜାର ୧୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଦୀର୍ଘ ୫୪୭ ଦିନ ପରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷରୁ କମ ରହିଛି । ସେହିପରି ବିଗତ ୫୪ ଦିନ ଧରି ଦୈନିକ ସଂକ୍ରମଣ ୨୦ ହଜାରରୁ କମ ରହିଥିବା ବେଳେ ୧୫୬ ଦିନ ଧରି ଏହା ୫୦ ହଜାରରୁ କମ ରହିଛି । ଜାନୁୟାରୀ ୩୦, ୨୦୨୦ରେ ଦେଶର ପ୍ରଥମ କରୋନା ସଂକ୍ରମଣ ମାମଲା କେରଳରୁ ଚିହ୍ନଟ ହୋଇଥିଲା ।

ଅଗଷ୍ଟ ୭, ୨୦୨୦ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ପାର କରିଥିଲା । ଅଗଷ୍ଟ ୨୩, ୨୦୨୦ରେ ଏହା ୩୦ ଲକ୍ଷ ଏବଂ ସେପ୍ଟେମ୍ବର ୫ରେ ୪୦ ଲକ୍ଷ ପାର କରିଥିଲା । ସେପ୍ଟେମ୍ବର ୧୬ରେ ଦେଶର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ଅତିକ୍ରମ କରିଥିଲା । ଏହାର ମାତ୍ର ୧୨ ଦିନରେ ଦେଶରେ ଆଉ ୧୦ ଲକ୍ଷ ନୂତନ ସଂକ୍ରମିତ ଚିହ୍ନଟ ହେବା ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଲକ୍ଷ ଛୁଇଁଥିଲା । ୧୧ ଅକ୍ଟୋବରରେ ୭୦ ଲକ୍ଷ, ୨୯ ଅକ୍ଟୋବରରେ ୮୦ ଲକ୍ଷ ନଭେମ୍ବର ୨୦ରେ ୯୦ ଲକ୍ଷ ଏବଂ ଡିସେମ୍ବର ୧୯ରେ ଏହା ୧ କୋଟି ଛୁଇଁଥିଲା । ଏହା ସହିତ ୨୦୨୧ରେ ମେ ୪ ତାରିଖରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ଏବଂ ଜୁନ ୨୩ ରେ ଏହା ୩ କୋଟି ଅତିକ୍ରମ କରିଥିଲା ।

Get real time updates directly on you device, subscribe now.