କରୋନା ଯୋଗୁଁ ଚୀନର ଶାଙ୍ଘାଇରେ ଭୟାବହ ପରିସ୍ଥିତି, କ୍ୱାରେଣ୍ଟିନରେ ସେଣ୍ଟରରେ ନାହିଁ ସ୍ଥାନ, ଲୋକଙ୍କୁ ମିଳୁନି ଖାଦ୍ୟ ସମାଗ୍ରୀ

ନୂଆଦିଲ୍ଲୀ: ଚୀନର ଆର୍ଥିକ ପେଣ୍ଠସ୍ଥଳ କୁହାଯାଉଥିବା ଶାଙ୍ଘାଇରେ କରୋନା ସଂକ୍ରମଣ ଭୟଙ୍କର ହେବାରେ ଲାଗିଛି । ଗୁରୁବାର ଏଠାରେ କରୋନାର ରେକର୍ଡ ୨୭ ହଜାର ଅଧିକ ମାମଲା ସାମ୍ନାକୁ ଆସିଛି । ଅବଶ୍ୟ, ୨୫ ହଜାର ରୁ ଅଧିକ ସଂକ୍ରମିତଙ୍କ ଠାରେ କୌଣସି ଲକ୍ଷଣ ନାହିଁ । ଏଠାରେ ଗୋଟିଏ ଦିନ ପୂର୍ବରୁ ରାଷ୍ଟ୍ରପତି ଜି ଜିନପିଙ୍ଗ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି ।

ଶାଙ୍ଘାଇ କରୋନା ଏପର୍ଯ୍ୟନ୍ତ ସବୁଠୁ ଭୟଙ୍କର ସମୟ ଦେଇ ଅତିକ୍ରମ କରୁଛି । ଚୀନର ଜିରୋ କୋଭିଡ ପଲିସି ଅନୁଯାୟୀ ଏଠାରେ କଠୋର ଲକଡାଉନ ଲଗାଯାଇଛି । ଶାଙ୍ଘାଇର ୨.୫ କୋଟି ଜନସଂଖ୍ୟା ଘରେ ବନ୍ଦୀ ଅଛନ୍ତି । ଲକଡାଉନ ପରେ ବି ଏଠାରେ କରୋନା ସଂକ୍ରମଣ ଥମିବାରେ ନାଁ ନେଉନାହିଁ । ତେବେ ଏହା ଓମିକ୍ରନର ତୀବ୍ର ସଂକ୍ରମଣ ବୋଲି କୁହାଯାଉଛି ।

କରୋନା ଯୋଗୁଁ ଶାଙ୍ଘାଇର ଅବସ୍ଥା ଏପରି ହୋଇଛି ଯେ ସଂକ୍ରମିତଙ୍କୁ ରଖିବା ପାଇଁ ଜାଗା ନାହିଁ । ସ୍କୁଲ ଏବଂ ଅଫିସରେ କ୍ୱାରେଣ୍ଟାଇନ ସେଣ୍ଟର କରାଯାଉଛି । ଏଠାରେ ଦୁଇଟି ବେଡ୍ ମଧ୍ୟରେ ଗୋଟିଏ ହାତର ଦୂରତା ମଧ୍ୟ ନାହିଁ । ଲଗାତାର ଦୁଇ ଥର ନେଗେଟିଭ୍ ଆସିବା ପରେ ହିଁ କ୍ୱାରେଣ୍ଟିନ୍ ସେଣ୍ଟରରୁ ଆସିବାକୁ ଦିଆଯାଉଛି । ସେପଟେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥବାରୁ ଆଶ୍ରୟ ସ୍ଥଳୀ ଗୁଡ଼ିକୁ କ୍ୱାରେଣ୍ଟିନ୍ ସେଣ୍ଟରରେ ପରିବର୍ତ୍ତନ କରାଯାଉଥିବାରୁ ଏହାକୁ ବିରୋଧ ମଧ୍ୟ କରାଯାଉଛି ।

ଶାଙ୍ଘାଇରେ ଲୋକମାନଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି । ସେମାନଙ୍କୁ ଖାଦ୍ୟ ସମାଗ୍ରୀ ମଧ୍ୟ ମିଳିପାରୁନାହିଁ । ଲୋକମାନେ ଘରେ ବନ୍ଦୀ ହୋଇ ରହିଛନ୍ତି । କେବଳ ସେତିକି ନୁହେଁ ଔଷଧର ମଧ୍ୟ ଅଭାବ ଦେଖିବାକୁ ମିଳିଛି । ଜିରୋ କୋଭିଡ ପଲିସି କାରଣରୁ ଶାଙ୍ଘାଇରେ ଅର୍ଥନୀତି ଠପ୍ ହୋଇଛି । ଶାଙ୍ଘାଇର ୧.୮ କୋଟି ଲୋକଙ୍କୁ ଘରେ ରହିବା ପାଇଁ କୁହାଯାଇଛି । ଅଟୋମୋବାଇଲ ମାନେ ଉତ୍ପାଦନ ବନ୍ଦ କରିଛନ୍ତି ।