fbpx
BJD SKY
BJD SKY

ଆଜିଠୁ ପୌର ନିର୍ବାଚନ ନାମାଙ୍କନ ଦାଖଲ, ୭ ତାରିଖ ଯାଏଁ ଚାଲିବ: ୯ରେ ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା

BJD

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବା ପରେ ଏବେ ବିଭିନ୍ନ ରାଜନୈତିକ ଦଳ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରି ଦେଇଛନ୍ତି । ଏ ନେଇ ସୋମବାର ବିଧିବଦ୍ଧ ଭାବେ ନିର୍ବାଚନ ଅଧିକାରୀମାନେ ବିଜ୍ଞପ୍ତି ଜାରି କରିସାରିଛନ୍ତି । ବୁଧବାର ଏହି ଭୋଟ ନିମନ୍ତେ ନାମାଙ୍କନପତ୍ର ଦାଖଲ କରାଯିବ । ଏ ନେଇ ଆଶାୟୀମାନେ ସେମାନଙ୍କ ସମର୍ଥକମାନଙ୍କ ସହ ଘର ଘର ବୁଲି ସମର୍ଥନ ଯୋଗାଡ କରିବାରେ ଲାଗି ପଡ଼ିଛନ୍ତି । ନାମାଙ୍କନ ପ୍ରକ୍ରିୟା ୨ ତାରିଖରୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ସେହିପରି ୯ ତାରିଖରେ ପ୍ରାର୍ଥି ପତ୍ର ଯାଞ୍ଚ କରାଯିବ ଓ ସେହିଦିନ ସନ୍ଧ୍ୟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୨୪ ତାରିଖରେ ଭୋଟଗ୍ରହଣ କରାଯାଇ ୨୬ ତାରିଖରେ ଫଳାଫଳ ପ୍ରକାଶିତ ହେବ । ଏହି ନିର୍ବାଚନ ପାଇଁ ଏବେଠୁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଟିକେଟ ପାଇବା ନିମନ୍ତେ ଲବି ମଧ୍ୟ ଆରମ୍ଭ କରି ଦେଇଛନ୍ତି । ମୁଖ୍ୟତଃ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନଙ୍କ ମଧ୍ୟରେ ଲଢେଇ ହେବ ।

ରାଜ୍ୟର ମୋଟ ୧୦୬ ପୌରପାଳିକା ଓ ୩ଟି ମହାନଗର ନିଗମ ନିମନ୍ତେ ଏହି ବିଜ୍ଞପ୍ତି ଜାରି କରାଯାଇଛି । ୧୦୬ ପୌରପାଳିକା ମଧ୍ୟରେ ୪୭ଟି ପୌର ପରିଷଦ ରହିଥିବା ବେଳେ ୫୯ଟି ଏନ୍‌ଏସି ରହିଛି । ତେବେ ଅଦାଲତି ମାମଲା ଯୋଗୁଁ ପୁରୀ ପୌର ପରିଷଦ ପାଇଁ ବିଜ୍ଞପ୍ତି ଜାରି କରାଯାଇନାହିଁ । ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ନିର୍ବାଚନ ଅଧିକାରୀମାନେ ବିଜ୍ଞପ୍ତି ଜାରି କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ୨୦୧୮ ମସିହାରୁ ଅଧିକାଂଶ ପୌର ସଂସ୍ଥାର କାର୍ଯ୍ୟକାଳ ଶେଷ ହୋଇସାରିଛି । ଗତ ୨୫ତାରିଖରୁ ରାଜ୍ୟ ନିର୍ବାଚନ କମିଶନ ପୌର ଭୋଟ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିବା ସହ ଭୋଟ ହେବାକୁ ଥିବା ସବୁ ପୌରାଞ୍ଚଳରେ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି । ଏହା ମାର୍ଚ୍ଚ ୨୬ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ମାର୍ଚ୍ଚ ୨ରୁ ୭ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ । ୯ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ଓ ସେହିଦିନ ସନ୍ଧ୍ୟାରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ ହେବ । ମାର୍ଚ୍ଚ ୨୪ତାରିଖରେ ଏହି ନିର୍ବାଚନ ପାଇଁ ଭୋଟଗ୍ରହଣ କରାଯିବ । ୨୬ତାରିଖରେ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ । ଏହି ନିର୍ବାଚନ ସମଗ୍ର ରାଜ୍ୟରେ ଗୋଟିଏ ଦିନରେ ଅନୁଷ୍ଠିତ ହେବ ।

ଚଳିତଥର ପୌର ପରିଷଦ ଓ ଏନ୍‌ଏସି ଅଧ୍ୟକ୍ଷ ପଦବୀ ଓ ମହାନଗର ନିଗମ ମେୟର ପଦବୀ ପାଇଁ ସିଧାସଳଖ ମତଦାନ ଗ୍ରହଣ କରାଯିବ । ପୌରାଞ୍ଚଳ ଓ ଏନ୍‌ଏସିର ଅଧ୍ୟକ୍ଷ ପଦବୀ ଓ ମହାନଗର ନିଗମ ମେୟର ପଦବୀ ନିମନ୍ତେ ହଳଦିଆ ବାଲାଟ ପେପର ଏବଂ କାଉନସିଲର ଓ କର୍ପୋରେଟରଙ୍କ ପାଇଁ ଗୋଲାପି ରଙ୍ଗର ବାଲାଟ ପେପର ବ୍ୟବହାର କରାଯିବ । ଏହି ନିର୍ବାଚନରେ ପ୍ରାୟ ୪୧ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ଭୋଟର ଚାହିଁଲେ ନିଜ ପସନ୍ଦରେ ନୋଟାର ଉପଯୋଗ ମଧ୍ୟ କରିପାରିବେ ବୋଲି ନିର୍ବାଚନ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.