fbpx

ଛୁଟି ଥାଇ ବି ଶନିବାର ଖୋଲିଲା କୋର୍ଟ: ବଳାତ୍କାର ପୀଡିତାଙ୍କ ଗର୍ଭପାତ ମାମଲାରେ ‘ସୁପ୍ରିମ’ ରାୟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଏକ ଐତିହାସିକ ଘଟଣା ଦେଖିବାକୁ ମିଳିଛି । ଶନିବାର କୋର୍ଟ ବନ୍ଦ ରହିଥିବା ବେଳେ ଏକ ଇମରଜେନ୍ସି ମାମଲାର ଶୁଣାଣି କରିଛନ୍ତି ସର୍ବୋଚ୍ଚ ଅଦାଲତ । ଜଣେ ବଳାତ୍କାର ପୀଡିତାଙ୍କ ୨୭ ସପ୍ତାହରୁ ଅଧିକ ଭ୍ରୁଣକୁ ଗର୍ଭପାତ କରିବା ପାଇଁ ଦାବି ହୋଇଥିଲା । ତେବେ ଏହି ମାମଲାର ଶୁଣାଣି କରିବା ପାଇଁ ଶନିବାର ଛୁଟି ଦିନରେ ବି ପ୍ରକାଶ ପାଇଛି ରାୟ । ଏଭଳି ଏକ ମାମଲା ଉପରେ ଶୁଣାଣି ବିଳମ୍ବ କରିବାରୁ ଗୁଜୁରାଟ ହାଇକୋର୍ଟକୁ ତାଗିଦ କରିଛନ୍ତି ସୁପ୍ରିମ ଅଦାଲତ ।

ଏ ନେଇ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ଗର୍ଭବତୀ ତଥା ଏଭଳି କିଛି ମାମଲାଗୁଡ଼ିକର ଶୁଣାଣୀ ତତ୍କାଳୀନ ବା ଜରୁରୀକାଳୀନ ଭିତ୍ତିରେ ହେବା ଆବଶ୍ୟକ । ଏହି ସବୁ ମାମଲାରେ ମୂଲ୍ୟବାନ ସମୟର ଗୁରୁତ୍ୱ ବୁଝି ନଥିବାରୁ ଗୁଜୁରାଟ ହାଇକୋର୍ଟକୁ ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ । ଶୁଣାଣୀ ସମୟରେ ଜଷ୍ଟିସ ବି.ଭି ନାଗରତ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ରବିବାର ସୁଦ୍ଧା ପୀଡିତାଙ୍କ ମେଡିକାଲ ରିପୋର୍ଟ ମାଗିଛନ୍ତି । ଏହାପରେ ସୋମବାର ମାମଲାର ଶୁଣାଣୀ କରାଯିବ ବୋଲି କହିଛନ୍ତି ଅଦାଲତ । ଏହାସହିତ ଗୁଜୁରାଟ ସରକାରଙ୍କ ସମେତ ଅନ୍ୟମାନଙ୍କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅଭିଯୋଗ କାରିଣୀଙ୍କ ସୂଚନା ଅନୁଯାୟୀ, ମହିଳା ଜଣକ ଅଗଷ୍ଟ ୭ ତାରଖରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ ପରଦିନ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଏକ ମେଡିକାଲ ଟିମ ଗଠନ ହୋଇଥିଲା, ଯାହାର ରିପୋର୍ଟ ଅଗଷ୍ଟ ୧୦ ତାରିଖରେ ଆସିଥିଲା । ଏହାପରେ ଅଗଷ୍ଟ ୧୧ ତାରିଖରେ ରେକର୍ଡ ନେବା ସହ ଅଦ୍ଭୁତ ପ୍ରକାରରେ ଅଗଷ୍ଟ ୨୩ ତାରିଖରେ ମାମଲାର ଶୁଣାଣୀ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ତେବେ ଏହି ଘଟଣାର ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଏଭଳି ବିଳମ୍ବତା ହେବା ଅନୁଚିତ । ଅନ୍ୟ ମାମଲା ଅପେକ୍ଷା ଏହି ତତ୍ପରତା ଦେଖାଇବା ସହ ମାମଲାର ଶୁଣାଣୀ ସ୍ଥଗିତ ରଖିବା ଉଚିତ ନୁହେଁ । ଏହାପରେ ପୀଡିତାଙ୍କ ମେଡିକାଲ ରିପୋର୍ଟ ରବିବାର ସନ୍ଧ୍ୟା ସୁଦ୍ଧା ଦେବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ତେବେ ରିପୋର୍ଟରେ ମହିଳା ଜଣକ ଗର୍ଭପାତ କରିବାରେ ସକ୍ଷମ ବୋଲି ଜାଣିବାକୁ ମିଳିଛି । ଏମଟିପି ଅନୁସାରେ, ବିବାହିତ ମହିଳା, ବଳାତ୍କାର ପୀଡିତା, ଦିବ୍ୟାଙ୍ଗ ଏବଂ କିଶୋରୀମାନଙ୍କ କ୍ଷେତ୍ରରେ ଗର୍ଭପାତର ଅବଧି ୨୪ ସପ୍ତାହ ରହିଛି ।

Get real time updates directly on you device, subscribe now.