ୱାସିଂଟନ- ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଚାହିଦା ମୁତାବକ ଦରମା ମିଳିବନି । ଦରମା ପାଇଁ ଆଇନଗତ ଲଢେଇ ଲଢୁଥିବା ମସ୍କଙ୍କୁ ଡେଲାବେୟରର ଏକ କୋର୍ଟ ପୁଣି ଥରେ ଝଟକା ଦେଇଛନ୍ତି । ଟେସ୍ଲା ସିଇଓଙ୍କ ୧୦୧.୪ ଅରବ ଡଲାର ସାଲାରୀ ପ୍ୟାକେଜକୁ ଖାରଜ କରିଦେଇଛନ୍ତି କୋର୍ଟ । ଏଲେନ ମସ୍କଙ୍କ ଦରମା ୨୦୧୮ରେ ନିର୍ଦ୍ଧାରଣ ହୋଇଛିଲା । ତେବେ ଟେସ୍ଲାର ସେୟାର ଜବରଦସ୍ତ ଅଭିବୃଦ୍ଧି କରିବା ପରେ ଦରମା ମଧ୍ୟ ବହୁ ଗୁଣା ବଢିଯାଇଛି । କିନ୍ତୁ କୋର୍ଟ ପରିବର୍ତ୍ତିତ ଦରମା ମସ୍କଙ୍କୁ ନ ଦେବାକୁ ରାୟ ଦେଇଛନ୍ତି ।
ଚାନ୍ସଲର କେଥଲିନ ଏସଜେ ମେକ୍କାର୍ମିକ ତାଙ୍କ ୧୦୩ ପୃଷ୍ଠାର ନିର୍ଣ୍ଣୟରେ କହିଛନ୍ତି, ଟେଲ୍ସା ବୋର୍ଡ ୨୦୧୯ରେ ଏହି ପ୍ୟାକେଜ ମସ୍କଙ୍କ ଚାପରେ ଆସି ମଞ୍ଜୁରୀ ଦେଇଥିଲା । କୋର୍ଟ କମ୍ପାନୀର ଆଇନଗତ ପରାମର୍ଶଦାତାଙ୍କ ତର୍କକୁ ଖାରଜ କରି ଏହି ଦରମାକୁ ତ୍ରୁଟିପୂର୍ଣ୍ଣ କହିଛନ୍ତି । କୋର୍ଟ ରାୟରେ କହିଛନ୍ତି, ବୋର୍ଡ ନିକଟରେ ମସ୍କଙ୍କୁ ଉଚିତ ଦରମା ଦେବାର ବହୁ ବିକଳ୍ପ ଥିଲା, କିନ୍ତୁ ବୋର୍ଡ ମସ୍କଙ୍କ ଆଗରୁ ମୁଣ୍ଡନୁଆଁଇଥିଲା । କୋର୍ଟ ଆହୁରି ସ୍ପଷ୍ଟ କରିଛନ୍ତି କି, ସେୟାରଧାରକଙ୍କ ଭୋଟ ଜରିଆରେ ନ୍ୟାୟିକ ନିର୍ଣ୍ଣୟକୁ ପରିବର୍ତ୍ତନ କରାଯାଇ ପାରିବ ନାହିଁ ।
କୋର୍ଟ ସେୟାର ଧାରକ ରିଚର୍ଡ ଟାଁରନେଟାଙ୍କ ଓକିଲଙ୍କୁ ୩୪୫ ମିଲିୟନ ଡଲାର କ୍ଷତିପୂରଣ ପ୍ରଦାନ କରିଛନ୍ତି । ସେ ମସ୍କଙ୍କ ପେ ପ୍ୟାକେଜକୁ ଚ୍ୟାଲେଞ୍ଜ କରିଥିଲେ । ତେବେ କୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ଡେଲାବେୟର ସୁପ୍ରିମ କୋର୍ଟରେ ଟେସ୍ଲା ଚ୍ୟାଲେଞ୍ଜ କରିବ ।