ଆମ ପାଇଁ ଗାଈ ମା ସମାନ, ଗୋଧନ ବିଷୟରେ ଆଲୋଚନା କଲେ କିଛି ଲୋକଙ୍କୁ ଅପରାଧ ଲାଗେ: ମୋଦୀ

ବାରଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଉତ୍ତର ପ୍ରଦେଶରେ ନିଜର ସଂସଦୀୟ କ୍ଷେତ୍ର ବାରଣାସୀରେ ଦୁଗ୍ଧ ଉତ୍ପାଦନକାରୀ ଅମୁଲ କମ୍ପାନୀର ‘ବନାସ ଡାଏରୀ ସଙ୍କୁଲ’ ପ୍ରକଳ୍ପର ଶିଳାନ୍ୟାସ୍ କରିଛନ୍ତି। ଏଥିସହ ରାଜ୍ୟରେ ପ୍ରାୟ ୨୧୦୦ କୋଟି ଟଙ୍କାର ୨୨ ପ୍ରକଳ୍ପର ଶିଳାନ୍ୟାସ୍ ଓ ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ମୋଦୀ ଦେଶ ପାଇଁ ପଶୁ ଧନ ଉପଯୋଗିତା ଉପରେ ଆଲୋଚନା କରି ଗାଈକୁ ମା ସମାନ କହିଛନ୍ତି। ସେ କହିଛନ୍ତି ଗାଈ ଏବଂ ଗୋଧନର କଥା କହିବା ଦେଶରେ ଅପରାଧୀ ଭାବେ ବିବେଚନା କରାଯାଉଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ଦେଶରେ ଗାଈର କଥା କହିବା, ଗୋଧନ ବିଷୟରେ ଚିନ୍ତା କରିବା କିଛି ଲୋକଙ୍କୁ ହଜମ ହେଉନାହିଁ। ଗୋ ମାତା ବିଷୟରେ ଆଲୋଚନା କଲେ କିଛି ଲୋକ ଆପଣଙ୍କୁ ଅପରାଧୀ ନଜରରେ ଦେଖୁଛନ୍ତି। ଗାଈ କିଛି ଲୋକଙ୍କ ପାଇଁ ପଶୁ ହୋଇପାରେ ମାତ୍ର ଗାଈ ଏବଂ ମାତା ପୂଜନୀୟ। ଗାଈ ଏବଂ ମଇଁଷିର ପରିହାସ କରୁଥିବା ଲୋକେ ଭୁଲି ଯାଉଛନ୍ତି ଯେ, ଦେଶର ୮ କୋଟି ଲୋକଙ୍କ ଭରଣପୋଷଣ ଏହି ପଶୁଧନରୁ ହିଁ ଚାଲିଛି।

ମୋଦୀ କହିଛନ୍ତି, ଭାରତର ଡାଏରୀ ସେକ୍ଟରକୁ ସୁଦୃଢ କରିବା ସକରାରଙ୍କ ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରୁ ଗୋଟିଏ। ୬-୭ ବର୍ଷ ପୂର୍ବ ତୂଳନାରେ ଦେଶରେ ବର୍ତ୍ତମାନ ଦୁଗ୍ଧ ଉତ୍ପାଦନ ୪୫ ପ୍ରତିଶତ ବଢିଛି। ଆଜି ଭାରତ ଦୁନିଆର ପ୍ରାୟ ୨୨ ପ୍ରତିଶତ ଦୁଗ୍ଧ ଉତ୍ପାଦନ କରୁଛି। ମୁଁ ଖୁସି ଯେ, ଆଜି ୟୁପି ଦେଶର ସବୁଠୁ ବଡ ଦୁଗ୍ଧ ଉତ୍ପାଦକ ରାଜ୍ୟରେ ପରିଣତ ହୋଇଛି। ଡାଏରୀ ସେକ୍ଟର ବିସ୍ତାରରେ ଦେଶ ସହିତ ୟୁପି ବହୁତ ଆଗରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।