fbpx

ଗାଈ ହେବ କି ଭାରତର ଜାତୀୟ ପଶୁ, ବିଜେପି ସାଂସଦଙ୍କ ଏପରି ପ୍ରଶ୍ନରେ କ’ଣ ଉତ୍ତର ରଖିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜେ କିଷନ ରେଡ୍ଡୀ ସୋମବାର ସଂସଦରେ କହିଥିଲେ ଯେ, କେନ୍ଦ୍ର ସରକାରଙ୍କର ଗାଈକୁ ଜାତୀୟ ପଶୁ ଘୋଷଣା କରିବାର କୌଣସି ଯୋଜନା ନାହିଁ । ସେ ଆହୁରି କହିଥିଲେ ବାଘ ଭାରତର ଜାତୀୟ ପଶୁ ଥିଲା ଓ ରହିବ ମଧ୍ୟ । ଭାରତୀୟ ଜନତା ପାର୍ଟିର ଜଣେ ସଦସ୍ୟ ଓ ସାଂସଦ ଭାଗୀରଥ ଚୌଧୁରୀଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ମନ୍ତ୍ରୀ ଏହା କହିଛନ୍ତି ।

ସାଂସଦଙ୍କ ପ୍ରଶ୍ନ ଥିଲା ସରକାର ଗୋମାତାକୁ ଭାରତୀୟ ସଂସ୍କୃତି ଓ ପରମ୍ପରାର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଭାବରେ ସ୍ୱତନ୍ତ୍ର ପରିଚୟ ଦେବେ କି ? ସଂସଦରେ ସ୍ୱତନ୍ତ୍ର ବିଲ୍ ମାଧ୍ୟମରେ କେନ୍ଦ୍ର ସରକାର ଗାଈକୁ ଆମର ଜାତୀୟ ପଶୁ ଭାବରେ ସ୍ୱୀକୃତି ଦେବେ କି ?

ଏହାର ଉତ୍ତରରେ ମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ, ଭାରତ ସରକାର ବାଘ ଓ ମୟୂରକୁ ଜାତୀୟ ପଶୁ ଓ ଜାତୀୟ ପକ୍ଷୀ ଭାବରେ ସ୍ୱୀକୃତି ଦେଇ ସାରିଛନ୍ତି ଓ ଏହା ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ ଆକ୍ଟ(୧୯୭୨) ଅନୁଯାୟୀ ସେଡ୍ୟୁଲ ୧ ଆନିମଲ ଭାବରେ ସ୍ୱୀକୃତି ପାଇଛି । ଫଳ ସ୍ୱରୂପ ଏହି ପ୍ରାଣୀଙ୍କର ବାସସ୍ଥାନକୁ ସୁରକ୍ଷିତ ଅଞ୍ଚଳ ଭାବରେ ଘୋଷଣା କରାଯାଇଛି । ତେଣୁ ଗାଈକୁ ଜାତୀୟ ପଶୁ ଘୋଷଣା କରାଯିବାର କୌଣସି ଯୋଜନା ନାହିଁ ।

Get real time updates directly on you device, subscribe now.