fbpx

ଲୋକସଭା ଭବନରେ ଖୋଲିବ କ୍ରେଚ: ଆରମ୍ଭ ହେବ ରେଜିଷ୍ଟ୍ରେସନ, ମାନିବାକୁ ପଡ଼ିବ ଗାଇଡଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ରାଜଧାନୀ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ସରକାରୀ କର୍ମଚାରୀଙ୍କ ପାଇଁ ଏଣିକି ଲୋକସେବା ଭବନରେ ଖୋଲିବ କ୍ରେଚ । ୬ ମାସରୁ ଆରମ୍ଭ କରି ୬ ବର୍ଷ ବୟସର ପିଲାମାନେ ଏହି କ୍ରେଚରେ ରହିପାରିବେ । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯିବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ପିଲାମାନେ ସକାଳ ୯ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କ୍ରେଚରେ ରହିପାରିବେ ।

ସୂଚନା ମୁତାବକ, କ୍ରେଚରେ ଛୋଟ ପିଲାଙ୍କୁ ଛାଡ଼ିବାକୁ ହେଲେ ପ୍ରଥମେ ୨ ହଜାର ଟଙ୍କା ଦେଇ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ । ଏହାପରେ ପ୍ରତି ମାସ ୫ ତାରିଖ ସୁଦ୍ଧା ୧୫୦୦ ଟଙ୍କା ଲେଖାଏଁ ପଇଠ କରିବେ । ଏବେ ୧୦-୧୫ ଜଣଙ୍କ ପିଲାଙ୍କ ପାଇଁ କ୍ରେଚ ଖୋଲିବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ଆଗକୁ ଚାହିଦାକୁ ଦୃଷ୍ଟିରେ ରଖି ଏହାର କ୍ଷମତାକୁ ବୃଦ୍ଧି କରାଯିବ । ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଏନେଇ ସମସ୍ତ ବିଭାଗର ଅତିରିକ୍ତ ସଚିବଙ୍କୁ ଚିଠି ଲେଖି ଏ ବାବଦରେ ଅବଗତ କରିଛନ୍ତି ।

ତେବେ ଲୋକସେବା ଭବନ ପରିସରରେ କ୍ରେଚ ଖୋଲିବା ନେଇ ରାଜ୍ୟ ସରକାରଙ୍କ ତରଫରୁ ସବିଶେଷ ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି । ଏହି କ୍ରେଚ କେବଳ ସଚିବାଳୟ କର୍ମଚାରୀଙ୍କ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଇଛି । ଛୁଟିଦିନ ବ୍ୟତୀତ ଅନ୍ୟ ସବୁଦିନେ କ୍ରେଚ ଖୋଲା ରହିବ । ପିଲାଙ୍କର ସାମଗ୍ରିକ ବିକାଶ ପାଇଁ କ୍ରେଚରେ ଉଚ୍ଚ ପ୍ରଶିକ୍ଷିତା ସହାୟିକା, ଖେଳଣା, ବହି, ପରିଷ୍କାର ପରିବେଶ ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି । ସୂଚନାଯୋଗ୍ୟ ଯେ, ଯେଉଁ କାର୍ଯ୍ୟାଳୟରେ ୫୦ରୁ ଅଧିକ ମହିଳା କର୍ମଚାରୀ ରହିଥିବେ ସେଠାରେ କ୍ରେଚ ଖୋଲିବାକୁ ଗତବର୍ଷ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଥିଲେ । ତେଣୁ ଏବେ ରାଜ୍ୟ ସରକାର ଲୋକସେବା ଭବନରେ କ୍ରେଚ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.