ପାଟନା: ରଣଜୀ ଟ୍ରଫି ୨୦୨୪-୨୫କୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଅକ୍ଟୋବର ୨୬ରୁ ତୃତୀୟ ରାଉଣ୍ଡ ମ୍ୟାଚ୍ ଆରମ୍ଭ ହୋଇଥିବା ବେଳେ ବିହାର ଓ କର୍ଣ୍ଣାଟକ ମଧ୍ୟରେ ମୁକାବିଲା ହୋଇଥିଲା। ପାଟନାର ମୋଇନ ଉଲ୍ ହକ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଛି। ପ୍ରଥମ ଦିନରେ ବିହାରର ପୂରା ଦଳ ୧୪୩ ରନ୍ ରେ ସୀମିତ ଥିବା ବେଳେ କର୍ଣ୍ଣାଟକ ବିନା ୱିକେଟ୍ ହରାଇ ୧୬ ରନ୍ କରିଥିଲା। ଦ୍ବିତୀୟ ଦିନର ଖେଳ ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିଲା।
ବାସ୍ତବରେ ପ୍ରଥମ ଦିନର ଖେଳ ଶେଷ ହେବା ପରେ ବାତ୍ୟା ଦାନାର ପ୍ରଭାବ ପାଟନା ଓ ବିହାରର ଅନେକ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ମୋଇନ୍ ଉଲ୍ ହକ୍ ଷ୍ଟାଡିୟମରେ ବିଳମ୍ବିତ ରାତିରେ ପ୍ରବଳ ବର୍ଷା ହୋଇଥିବାରୁ ପଡ଼ିଆ ଓଦା ହୋଇଯାଇଥିଲା। କିଛି ଦିନ ତଳେ ନ୍ୟୁଜିଲାଣ୍ଡ-ଆଫଗାନିସ୍ତାନ ଟେଷ୍ଟ ମ୍ୟାଚରେ ପ୍ରଶଂସକଙ୍କ ସହାୟତାରେ ଗ୍ରେଟର ନୋଏଡାର ପିଚ୍ କୁ ଶୁଖାଇ ଦିଆଯାଇଥିଲା। କିନ୍ତୁ ଏଥର ପିଚ୍ ଶୁଖିବା ପାଇଁ ଗୋବର ଘଷି ବ୍ୟବହାର କରାଯାଇଛି, ଫ୍ୟାନ୍ ନୁହେଁ।
ଅକ୍ଟୋବର ୨୭ ତାରିଖରେ ବିହାର-କର୍ଣ୍ଣାଟକ ମ୍ୟାଚ୍ ର ଦ୍ୱିତୀୟ ଦିନ ସକାଳେ ଏକ ଟ୍ରେରେ ଘଷି ରଖି ନିଆଁ ଲଗାଇ ଦିଆଯାଇଥିଲା। ଗୋବରର ଉଷ୍ମତା ରେ ପିଚ୍ ଶୁଖାଇବା ପାଇଁ ପ୍ରୟାସ କରାଯାଇଥିଲା, କିନ୍ତୁ ଗ୍ରାଉଣ୍ଡ ଷ୍ଟାଫଙ୍କ ପ୍ରୟାସ ସଫଳ ହୋଇପାରିନଥିଲା। ଏହି ଘଟଣାର ଫଟୋ ସୋସିଆଲ ମିଡିଆରେ ଆସିବା ପରେ ଲୋକେ ବିହାର କ୍ରିକେଟ ଆସୋସିଏସନ ବ୍ୟତୀତ ବିସିସିଆଇକୁ ଟାର୍ଗେଟ କରିଥିଲେ ।
ଭାରତର ଅନେକ ପୁରୁଣା ପଡ଼ିଆର ଏଭଳି ଅବସ୍ଥା କାରଣ ଭାରତ ଓ ବାଂଲାଦେଶ ମଧ୍ୟରେ କାନପୁର ଟେଷ୍ଟରେ ମ୍ୟାଟ୍ ସାହାଯ୍ୟରେ ପିଚ୍ ଶୁଖାଇବାକୁ ପ୍ରୟାସ କରାଯାଇଥିଲା। ବିହାର-କର୍ଣ୍ଣାଟକ ମ୍ୟାଚ୍ ର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା କର୍ଣ୍ଣାଟକ ୭ ୱିକେଟ୍ ହରାଇ ୨୮୭ ରନ୍ କରିଛି। କର୍ଣ୍ଣାଟକ ପକ୍ଷରୁ ଅଧିନାୟକ ମୟଙ୍କ ଅଗ୍ରୱାଲ ୧୦୫ ରନ୍ ର ଶତକ ହାସଲ କରି ଦଳର ମୋଟ ଅଗ୍ରଣୀକୁ ୧୪୪ ରନ୍ ରେ ପହଞ୍ଚାଇଥିଲେ।