fbpx

ଦିନକୁ ଏକାଧିକ ଥର ୨୦୦୦ ଟଙ୍କିଆ ନୋଟ୍ ବଦଳାଇ ପାରିବେ: SBI ଭୁବନେଶ୍ୱର ପକ୍ଷରୁ ସୂଚନା ଜାରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ୨୦୦୦ ଟଙ୍କିଆ ନୋଟ ନେଣଦେଣ ବନ୍ଦ କରିବା ନେଇ ଗତ ୧୯ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନିଷ୍ପତ୍ତି ନେଇଥିଲା । ମେ ମାସ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ୨୦୦୦ ଟଙ୍କିଆ ନୋଟକୁ ବ୍ୟାଙ୍କରେ ବଦଳାଇ ପାରିବେ ବୋଲି ଆରବିଆଇ ପକ୍ଷରୁ କୁହାଯାଇଥିଲା । ଏହାପରେ ନୋଟ ବଦଳାଇବାକୁ ଫର୍ମ ପୂରଣ କରିବାକୁ ପଡ଼ିବ ବୋଲି ଚର୍ଚ୍ଚା ହୋଇଥିଲା । ଫଳରେ ଏସବିଆଇ ପକ୍ଷରୁ ଏକ ବୟାନ ଜାରି କରି ଫର୍ମ ପୂରଣ କି କୌଣସି ଆଇଡିର ଆବଶ୍ୟକତା ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା ।

ତେବେ ଆଜିଠାରୁ ଗ୍ରାହକମାନେ ବ୍ୟାଙ୍କକୁ ଯାଇ ୨୦୦୦ ଟଙ୍କିଆ ନୋଟ ଏକ୍ସଚେଞ୍ଜ କରିପାରିବେ । ଗ୍ରାହକମାନେ ଦିନକୁ ଏକାଧିକ ଥର ନୋଟକୁ ବଦଳାଇ ପାରିବେ । ଏନେଇ ରାଜ୍ୟର ୮୯୦ଟି ଏସବିଆଇ ଶାଖାରେ ନୋଟ ବଦଳାଇବା ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ୨୦୦୦ ଟଙ୍କିଆ ନୋଟ ଏକ୍ସଚେଞ୍ଜ କରିବା ପାଇଁ ଏସବିଆଇ ପାଖରେ ୧୨ ହଜାର କୋଟି ଟଙ୍କା ରହିଛି । ଯଦି ଅଧିକ ଅର୍ଥର ଆବଶ୍ୟକତା ପଡ଼େ ଘଣ୍ଟାକ ମଧ୍ୟରେ ଆରବିଆଇ ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛି ।

ତେଣୁ ନୋଟ ବଦଳାଇବାକୁ ନେଇ ଗ୍ରାହକମାନେ କୌଣସି ପ୍ରକାରର ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ତେବେ ଗ୍ରାହକମାନେ ଥରକରେ ୨୦ ହଜାର ଟଙ୍କା ଏକ୍ସଚେଞ୍ଜ କରିପାରିବେ । ନୋଟ ବଦଳାଇବା ପାଇଁ ଗ୍ରାହକଙ୍କୁ କୌଣସି ପରିଚୟ ପତ୍ର ଦାଖଲ କରିବାକୁ ପଡ଼ିବ ନାହିଁ । ଏନେଇ ଭୁବନେଶ୍ୱର ଏସବିଆଇର ସିଜିଏମ୍ ଚନ୍ଦ୍ରଶେଖର ଶର୍ମା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.