fbpx

ଓଡ଼ିଶାକୁ ନାହିଁ ବାତ୍ୟା ବିପଦ ! ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ୨୪ ଘଣ୍ଟାରେ ନେବ ଲଘୁଚାପ ରୂପ

ଉପକୂଳ ଆଶ୍ୱସ୍ତ, ଜଳୁଛି ପଶ୍ଚିମ

ନୂଆଦିଲ୍ଲୀ/ ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଏହା ଗଭୀର ଅବପାତ ଓ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ତେବେ ଏହି ବାତ୍ୟା ଆସାନୀର ଗତିଥ କେଉଁ ଉପକୂଳ ଦେଇ ଅତିକ୍ରମ କରିବ ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ । ବାତ୍ୟା ନେଇ ବିଭିନ୍ନ ସଂସ୍ଥା ଭିନ୍ନ ଭିନ୍ନ ଆକଳନ କରୁଥିବାରୁ ଓଡ଼ିଶାବାସୀ ଆଶା ଓ ଆଶଙ୍କାରେ ରହୁଛନ୍ତି ।

ପାଣିପାଗ ମଡେଲ୍‌ ୱିଣ୍ଡି ପକ୍ଷରୁ ଜାରି ହୋଇଥିବାର ଗ୍ରାଫିକ୍‌ ଅନୁସାରେ ବାତ୍ୟା ‘ଆସାନୀ’ ତୀବ୍ର ବେଗରେ ଓଡ଼ିଶା ଉପକୂଳରେ ମାଡ଼ କରିବ । କିନ୍ତୁ ଲଘୁଚାପ ପରେ ଏହାର ଗତିପଥ ଏବଂ ତୀବ୍ରତା ଜଣାପଡ଼ିବ ବୋଲି ଏହି ସଂସ୍ଥା ପକ୍ଷରୁ କୁହାଯାଇଛି । ତେବେ ୨ ଦିନ ମଧ୍ୟରେ ବାତ୍ୟାର ଚିତ୍ର ସ୍ପଷ୍ଟ ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ବାତ୍ୟା ପାଇଁ ଏବେ ପାଗ ଅନୁକୂଳ ରହିଛି । ବଙ୍ଗୋପସାଗରରେ ମେଘଖଣ୍ଡ ଏକାଠି ହେଉଥିବା ନେଇସାଟେଲାଇଟ୍‌ରୁ ଚିତ୍ର ଦେଖିବାକୁ ମିଳିଛି । ସମ୍ଭାବ୍ୟ ବାତ୍ୟା ଉପରେ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ନଜର ରଖିଛି । ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ବାତ୍ୟାର ଗତି କେଉଁଆଡ଼କୁ ରହିବ । ଆସନ୍ତା ୧୦ ତାରିଖରେ ଏହା ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ ବୋଲି ଆକଳନ କରାଯାଉଥିଲେ ମଧ୍ୟ ସ୍ପଷ୍ଟ ଚିତ୍ର ମିଳିପାରୁ ନାହିଁ । ପାଣିପାଗ ସଂସ୍ଥା ସ୍କାଏମେଟ୍‌ର ପୂର୍ବାନୁମାନ ଅନୁସାରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏହି ଲଘୁଚାପ ଡିପ୍ରେସନର ରୂପ ନେଇପାରେ । ଏହା ଉତ୍ତର ପୂର୍ବ କିମ୍ବା ମିଆଁମାର ଆଡ଼କୁ ମୁହାଁଇପାରେ । ତେବେ ଏହାର ପ୍ରଭାବ ଓଡ଼ିଶା, ଆନ୍ଧ୍ର ଓ ତାମିଲନାଡୁ ଉପରେ ପଡ଼ିନପାରେ ବୋଲି ସ୍କାଏମେଟ୍‌ ପକ୍ଷରୁ ଆକଳନ କରାଯାଇଛି ।

ତେବେ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ସୃଷ୍ଟି ହେଉଥିବା ଲଘୁଚାପ ଓ ସମ୍ଭାବ୍ୟ ବାତ୍ୟାର ଗତିଥ କିମ୍ବା ତୀବ୍ରତା ନେଇ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିପାରି ନାହିଁ । ଆଇଏମ୍‌ଡିର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଲଘୁଚାପ ଅବପାତରେ ପରିଣତ ହେବା ପରେ ଏନେଇ ଆକଳନ କରିବା ସହଜ ହେବ । ଅନ୍ୟପକ୍ଷରେ ଏସବୁ ଭିତରେ ଉପକୂଳ ଓଡ଼ିଶାରେ ତାତିର ପ୍ରଭାବ ସାମାନ୍ୟ ହ୍ରାସ ପାଇଥିବାରୁ ଲୋକେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି । ତେବେ ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାର ଲୋକେ ତାତିରୁ ତ୍ରାହି ପାଇବେ ନାହିଁ । ଅଧିକାଂଶ ଜିଲ୍ଲାର ପାରଦ ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

Get real time updates directly on you device, subscribe now.