fbpx

ପ୍ରଳୟ ରଚିବ ବିପର୍ଯ୍ୟୟ, କେରଳ ଓ ମୁମ୍ବାଇ ସମୁଦ୍ରରେ ଦେଖାଦେଲାଣି ପ୍ରଭାବ, ୧୦,୦୦୦ଲୋକ ହେବେ ସ୍ଥାନାନ୍ତର

Advertisement

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଜ୍ଞାନ ଅଧିକାରୀଙ୍କ ସୂଚନା ଅନୁଯାୟୀ ‘ବିପର୍ଯ୍ୟୟ’ ଏକ ଭୀଷଣ ଗମ୍ଭୀର ଘୂର୍ଣ୍ଣିଝଡ ରୂପରେ ସୌରାଷ୍ଟ-କଚ୍ଛର ତଟୀୟ କ୍ଷେତ୍ରରେ ମାଡ କରିବ । ଘୂର୍ଣ୍ଣିଝଡକୁ ଦୃଷ୍ଟିରେ ରଖି ଗୁଜୁରାଟର ଉତ୍ତର ଓ ଦକ୍ଷିଣ ତଟୀୟ କ୍ଷେତ୍ରରେ ସମୁଦ୍ର ସମ୍ବନ୍ଧିତ ଯେକୌଣସି ଗତିବିଧି ଉପରେ ପ୍ରତିବନ୍ଧ ଲଗାଇ ଦିଆଯାଇଛି । ଏହା ସହିତ ଏହି ସମସ୍ତ ଅଞ୍ଚଳରୁ ଲୋକଙ୍କୁ ଏବେ ସ୍ଥାନାନ୍ତର କରାଯାଉଛି । ଏ ପର୍ଯ୍ୟନ୍ତ ପ୍ରାୟ ୧୩୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଯାଇ ସାରିଲାଣି । ତେବେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ରହୁଥିବା ମୋଟ ୧୦,୦୦୦ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ଏହି ଘୂର୍ଣ୍ଣିଝଡ କ୍ରମଶଃ ବିକଟାଳ ରୂପ ଧାରଣ କରିବାରେ ଲାଗିଛି । ଏହାର ପ୍ରଭାବ ଏବେ କେରଳ ଓ ମୁମ୍ବାଇ ସମୁଦ୍ରରେ ଦେଖିବାକୁ ମିଳିଲାଣି । ଏହି ଦୁଇ ସ୍ଥାନରେ ସମୁଦ୍ରରେ ବଡ ବଡ ଲହରୀ ଉଠୁଥିବାର ଦେଖାଯାଉଛି ।

ପ୍ରଚଣ୍ଡ ଘୂର୍ଣ୍ଣିଝଡ ବିପର୍ଯ୍ୟୟ ଗୁଜୁରାଟର କଚ୍ଛ ଜିଲ୍ଲା ଓ ପାକିସ୍ତାନର କରାଚୀ ତଟବର୍ତ୍ତୀ ଅଞ୍ଚଳ ଦେଇ ୧୫ ଜୁନ଼୍୍ରେ ଗତି କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୂର୍ଣ୍ଣିଝଡ ବିପର୍ଯ୍ୟୟକୁ ନେଇ ଏକ ସମୀକ୍ଷା ବୈଠକ ଡକାଇଛନ୍ତି । ରାଜ୍ୟ ସରକାର ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ କୁ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି । ଏହା ସହ ୬ ଜିଲ୍ଲାରେ ଆଶ୍ରୟ କେନ୍ଦ୍ର ବି ଖୋଲାଯାଉଛି ।
୧୩ ରୁ ୧୫ ଜୁନ୍ ମଧ୍ୟରେ ଭୀଷଣ ବର୍ଷା ସହିତ ୧୫୦ କିଲୋମିଟର ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି । ବିପର୍ଯ୍ୟୟ କଚ୍ଛ ସହିତ ଦେବଭୂମି ଦ୍ୱାରକା ଓ ଆହୁରି ୫ ଜିଲ୍ଲାକୁ ପ୍ରଭାବିତ କରିବା ନେଇ ସୂଚନା ପ୍ରଦାନ କରାଯାଇଛି । ଏବେ ଘୂର୍ଣ୍ଣିଝଡ ବିପର୍ଯ୍ୟୟ ପୋରବନ୍ଦର ଠାରୁ ପ୍ରାୟ ୩୪୦ କିଲୋମିଟର ଦକ୍ଷିଣ ପଶ୍ଚିମରେ ରହିଛି ।

 

Get real time updates directly on you device, subscribe now.