Cyclone Dana: 180 କିଲୋମିଟର ଦୂରରେ ବାତ୍ୟା, ରାତି 3ଟାରେ ଲ୍ୟାଣ୍ଡଫଲ୍! ସକାଳ ଯାଏଁ ରଚିବ ତାଣ୍ଡବ

ଭୁବନେଶ୍ବର: ବାତ୍ୟା ନେଇ ସାମ୍ନାକୁ ଆସିଲା ବଡ ଖବର । ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ଦାନା। ରାତିରେ ଲ୍ୟାଣ୍ଡଫଲ ହେବାକୁ ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।  ପାରାଦ୍ବୀପରୁ 180 କିଲୋମିଟର ଦୂରରେ ରହିଥିବା ବେଳେ ଧାମରାରୁ 210 କିଲୋମିଟର ଦୂରରେ ରହିଛି । ତେବେ କେଉଁ ସମୟରେ ବାତ୍ୟା ଲ୍ୟାଣ୍ଡଫଲ କରିବ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ରହିଥିବା ବେଳେ ସାମ୍ନାକୁ ଆସିଛି ଲ୍ୟାଣ୍ଡଫଲ ସମୟ । ରାତି 3 ଟା ସମୟରେ ଏହା ସ୍ଥଳଭାଗ ଛୁଇଁବା ନେଇ ଆକଳନ କରାଯାଉଛି । 3ଟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇ ଭୋର୍ ସୁଦ୍ଧା ଏହା ଶେଷ ହୋଇପାରେ । ତେବେ ଧାମରା-ଭିତରକନିକା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁ ପଶ୍ଚିମବଙ୍ଗ ମୁହାଁ ହେବ ।

ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ,  ସମୁଦ୍ରରେ ପବନର ବେଗ 95-110 କିଲୋମିଟର ରହିଛି । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ 100-120 କିଲୋମିଟର ରହିପାରେ । 24 ତାରିଖ ଏବଂ 25 ତାରିଖ ମଧ୍ୟରେ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଅଧିକ ରହିବା କାରଣରୁ ଲୋକମାନଙ୍କୁ ସ୍ଥାନାନ୍ତର ହେବା ପାଇଁ ପରାମର୍ଶ ଦିଆଯାଉଛି । ମାଟିଘରେ ରହିଥିବା ଲୋକଙ୍କୁ ପକ୍କାଘରକୁ ଯିବା ପାଇଁ କୁହାଯାଉଛି । ଏହି ସମୟରେ ଗଛ, ବିଦ୍ୟୁତ ଖୁଣ୍ଟ, ଟିଣ ଘର ଉଡିବାର ସମ୍ଭାବନା ରହିଥିବା କାରଣରୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଉଛି । ତେବେ ସନ୍ଧ୍ୟାରୁ ଟ୍ବିନସିଟି ଭୁବନେଶ୍ବର ଏବଂ କଟକରେ ମଧ୍ୟ ବର୍ଷାର ପରିମାଣ ବଢିପାରେ ବୋଲି କୁହାଯାଇଛି ।