(Video) ମାଡି ଆସୁଛି ବାତ୍ୟା ପେଙ୍ଗାଲ! ତାମିଲନାଡୁକୁ ଆଲର୍ଟ, ଓଡିଶାର ଏହି ସ୍ଥାନରେ…

ନୂଆଦିଲ୍ଲୀ: ଦାନା ବାନ୍ଧୁଛି ବାତ୍ୟା । ଏହାକୁ ନେଇ ସମସ୍ତଙ୍କ ମନରେ ଛନକା ଦେଖାଯାଇଥିବା ବେଳେ ଉପକୂଳ ମୁହାଁ ବାତ୍ୟା ପେଙ୍ଗାଲ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ପରେ ଗଭୀର ଅବପାତରେ ପରିଣତ ହୋଇଛି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ଗଭୀର ଅବପାତ ଆଜି ବାତ୍ୟାରେ(ପେଙ୍ଗାଲ) ପରିଣତ ହେବ ।

ବାତ୍ୟା ପେଙ୍ଗାଲ ଦୀର୍ଘ 6 ଘଣ୍ଟା ହେବ 13 କିଲୋମିଟର ବେଗରେ ଗତି କରୁଛି । ତେବେ ଉପକୂଳ ମୁହାଁ ହେଉଛି ଏହି ବାତ୍ୟା ପୋଙ୍ଗାଲ । ଏହାର ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା ନେଇ ଆଲର୍ଟ କରାଯାଇଥିବା ବେଳେ ସରକାର ମଧ୍ୟ ସମସ୍ତ ପଦକ୍ଷେପ ନେଇଛନ୍ତି । ତାମିଲନାଡୁର ଉପକୂଳବର୍ତ୍ତୀ ଜିଲ୍ଲାର କିଛି ସ୍ଥାନରେ ଛୁଟି ଘୋଷଣା କରାଯାଇଛି । ବର୍ତ୍ତମାନ ଠାରୁ ତାମିଲନାଡୁର ଅନେକ ଜିଲ୍ଲାରେ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷାରେ ରାସ୍ତାଘାଟ ଜଳାର୍ଣ୍ଣବ ହୋଇଛି । ଅନେକ ରାସ୍ତାଘାଟ ଏବଂ ଘରେ ପାଣି ଜମିଥିବା ଦେଖାଯାଇଛି । ତଳିଆ ଅଞ୍ଚଳବାସୀଙ୍କୁ ସାବଧାନ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

ରନଓ୍ବେରେ ପାଣି ଜମିବା କାରଣରୁ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି । ସମୁଦ୍ର ଅଶାନ୍ତ ରହିଥିବା କାରଣରୁ ମତ୍ସଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି । ଯେଉଁମାନ ସମୁଦ୍ର ଭିତରେ ରହିଛନ୍ତି, ସେମାନଙ୍କୁ ସମୁଦ୍ରରୁ ଫେରି ଆସିବା ପାଇଁ ପରାମର୍ଶ ଦିଆଯାଇଛି । ମାସ ଶେଷ ସୁଦ୍ଧା ବର୍ଷା ଲାଗି ରହିବା ନେଇ ଅନୁମାନ କରାଯାଉଛି । ତେବେ ପାଣିପାଗ ବିଭାଗର ପ୍ରବଳ ବର୍ଷାକୁ ନେଇ ଆଲର୍ଟ କାରଣରୁ ତାମିଲନାଡୁର ଅନେକ ଶିକ୍ଷାନୁଷ୍ଠାନକୁ ବାରଣ କରାଯାଇଛି । କିନ୍ତୁ ବାତ୍ୟା ପେଙ୍ଗାଲର ପ୍ରଭାବ ଓଡିଶା ଉପରେ ପଡିବ ନାହିଁ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଦକ୍ଷିଣ ଉପକୂଳ ଜିଲ୍ଲାଗୁଡିକରେ କାଁ ଭାଁ ବର୍ଷା ହୋଇପାରେ ବୋଲି କୁହାଯାଇଛି ।