fbpx

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଏହିସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା

ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଫଳରେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା। ୨୯ ତାରିଖ ଯାଏଁ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୨୬ ଅର୍ଥାତ୍ କାଲିଠାରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଓ ସୁନ୍ଦରଗଡ ଜିଲ୍ଲାରେ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ୨୭ ରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି।

କାଲି ସକାଳ ପର୍ଯ୍ୟନ୍ତ ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ଅନୁଗୋଳ, ବୌଦ୍ଧ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ବର୍ଷା ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବା ମଧ୍ୟ ସେ ସୂଚନା ଦେଇଛନ୍ତି । ଉପକୂଳ, ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ବର୍ଷାର ପ୍ରକୋପ ଜାରି ରହିବ ।

୨୬ ତାରିଖ ସକାଳ ସାଢେ ୮ଟାରୁ ୨୭ ତାରିଖ ସକାଳ ସାଢେ ୮ଟା ପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହୋଇପାରେ ବୋଲି ସୂଚନା ଦିଆଯିବା ସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ପୁରୀ ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବୋହିବ ବୋଲି ସୂଚନା ମଧ୍ୟ ଦିଆଯାଇଛି । ସେଥିପାଇଁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ୨୭ ତାରିଖ ସକାଳ ସାଢେ ୮ଟାରୁ ୨୮ ତାରିଖ ସକାଳ ସାଢେ ୮ଟା ପର୍ଯ୍ୟନ୍ତ ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି । ଏହିସବୁ ଜିଲ୍ଲାରେ ୧୨ରୁ ୨୦ ସେଣ୍ଟିମିଟର ବର୍ଷାର ସମ୍ଭାବନା ରହିଛି । ତେଣୁ ବିଭାଗ ପକ୍ଷରୁ ଏହିସବୁ ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୨୮ ତାରିଖ ସକାଳ ସାଢେ ୮ଟାରୁ ୨୯ ତାରିଖ ସକାଳ ସାଢେ ୮ଟା ପର୍ଯ୍ୟନ୍ତ ରାୟଗଡ଼ା, କୋରାପୁଟ, ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି ଓ ମାଲକାନଗିରିରେ ପ୍ରବଳ ବର୍ଷା ହେବ । ଏପରିକି ୧୨ରୁ ୨୦ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ଥିବାରୁ ଏହିସବୁ ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

 

Get real time updates directly on you device, subscribe now.