fbpx

ଓଡ଼ିଶା ଆଡକୁ ମାଡ଼ି ଆସୁଛି ବାତ୍ୟା “ୟଶ୍’: ଆଜି ଅତି ଭୀଷଣ ବାତ୍ୟାର ରୂପ ନେବ,ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳକୁ ଅରେଞ୍ଜ ୱାର୍ଣ୍ଣିଂ

Advertisement

ଭୁବନେଶ୍ୱର,(ଓଡ଼ିଶା ଭାସ୍କର):ଓଡ଼ିଶା ଆଡକୁ ମାଡ଼ି ଆସୁଛି ବାତ୍ୟା “ୟଶ୍’ । ଶୁକ୍ରବାର ଏହା ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି । ଆଗାମୀ ୨୪ ଘଣ୍ଟାରେ ଏହା ଅତି ଭୀଷଣ ବାତ୍ୟାର ରୂପ ନେବ । ୨୬ ତାରିଖ ଦ୍ବି- ପହରରେ ଏହା ବାଲେଶ୍ୱରରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଦେଖାଦେଇଛି । ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ଘଣ୍ଟା ପ୍ରତି ୧୫୫ରୁ୧୮୫ କି.ମି. ମଧ୍ୟରେ ରହିବ । ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଏହି ସୂଚନା ଦେଇଛନ୍ତି ।

ସେହିପରି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌. ବିଶ୍ୱାସ କହିଛନ୍ତି ଯେ, ୨୬ ତାରିଖ ପୂର୍ବାହ୍ନ୧୧ଟାରୁ ଦିନ ଗୋଟାଏ ମଧ୍ୟରେ ବାଲେଶ୍ୱର ପାଖାପାଖି ବାତ୍ୟା “ୟଶ୍”ଲ୍ୟାଣ୍ଡ ଫଲ୍‌ କରିବ । ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ଘଣ୍ଟା ପ୍ରତି ୧୫୫କି.ମି.ରୁ ୧୬୫ କି.ମି. ମଧ୍ୟରେ ରହିବାର ସମ୍ଭାବନା ରହିଛି ।  ସୋମବାର ରାତି ସୁଦ୍ଧା ପାରାଦ୍ୱୀପଠାରୁ ୪୨୦କି.ମି. ଏବଂ ବାଲେଶ୍ୱରଠାରୁ ୫୨୦କି.ମି. ଦୂରରେ ରହିଛି ବାତ୍ୟା ୟଶ୍’ । ବାତ୍ୟାର ବେଗ ସାମାନ୍ୟ ବଢ଼ିଛି, ଘଣ୍ଟାକୁ ଏହା ୧୨ କି.ମି. ବେଗରେଏହା ଉପକୂଳ ଆଡ଼କୁ ମାଡ଼ି ଆସୁଛି ।

ମଙ୍ଗଳବାର ସକାଳ ସୁଦ୍ଧା ଭୀଷଣବାତ୍ୟାର ରୂପ ନେବ ୟାସ୍‌ । ପୂର୍ଣ୍ଣିମା ଥିବାରୁ ସମୁଦ୍ରରୁ ଜୁଆର ଉଠିବା ନେଇ କୁହାଯାଇଛି । ୨ରୁ ୪ ମିଟର ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆର ଉଠିବା ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ୍‌ ପୂର୍ବରୁ ଅର୍ଥାତ ୨୫ ତାରିଖରୁ ବାଲେଶ୍ୱର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡ଼ା,ଜଗତସିଂହପୁର, ମୟୂରଭଞ୍ଜ,ଢେଙ୍କାନାଳ, ଗଞ୍ଜାମ, କଟକ, ପୁରୀଓ ଖୋର୍ଦ୍ଧା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୬ ତାରିଖରେ ବର୍ଷାର ପରିମାଣ ବଢ଼ିବ ବୋଲି ଶ୍ରୀବିଶ୍ୱାସ କହିଛନ୍ତି । ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୭ତାରିଖରେ ବର୍ଷାର ପରିମାଣ କମିଯିବ ବୋଲି ଶ୍ରୀ ବିଶ୍ୱାସ କହିଛନ୍ତି ।

ଅପରପକ୍ଷରେ ସୋମବାର ପୂର୍ବାହ୍ନରୁ ଉପକୂଳ ଓଡିଶାର ବହୁ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି । ଆଇଏମ୍‌ଡି ଡିଜି କହିଛନ୍ତି ଯେ, ବାତ୍ୟା ଯୋଗୁ ଏବେ ସମୁଦ୍ରରେ ପବନର ବେଗ ଘଣ୍ଟା ପ୍ରତି୬୫ରୁ ୮୫ କି.ମି. ଭିତରେ ରହିଛି ।୨୫ ତାରିଖ ମଧ୍ୟରାତ୍ର ପରେ ପବନ ବଢ଼ିବ ଏବଂ ଏହା ଘଣ୍ଟା ପ୍ରତି ୮୦କି.ମି. ଛୁଇଁପାରେ । ୨୬ ତାରିଖ ସକାଳୁ ପବନର ବେଗ ବଢ଼ି ଘଣ୍ଟାପ୍ରତି୧୨୦ରୁ ୧୩୦ କି.ମି. ହେବ । ଉପକୂଳ ଛୁଇଁଲା ବେଳକୁ ପବନ ବେଗ ଘଣ୍ଟା ପ୍ରତି ସର୍ବାଧିକ ୧୫୫ରୁ ୧୮୫କିମି ମଧ୍ୟରେ ରହିବ । ଜଗତସିଂହପୁର,କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବାତ୍ୟାର ବେଶି ପ୍ରଭାବପଡ଼ିବ । ଏହା ବାଲେଶ୍ୱର ଦେଇ ଅତିକ୍ରମ କରିବାର ସମ୍ଭାବନା ଅଧିକ ରହିଛି । ସେଥିାଇଁ ଏହି ୪ ଜିଲ୍ଲାକୁ ‘ରେଡ୍‌ ୱାର୍ଣ୍ଣିଂ ବର୍ଗ-୧’ରେ ରଖାଯାଇଛି । ଏହି ବାତ୍ୟା ଗତ ୬ ଘଣ୍ଟାରେ ଗତି ନ କରି ସ୍ଥିର ରହିଛି । ବାତ୍ୟା ସ୍ଥିର ରହିଲେ ଅଧିକ ଶକ୍ତିଶାଳୀ ହେବାର ନଜିର ରହିଛି । ଏହି ବାତ୍ୟା ପ୍ରଭାବରେ ମଙ୍ଗଳବାର ଠାରୁ ଉତ୍ତର ଉପକୂଳରେ ବର୍ଷା ହେବ । ବାତ୍ୟାକୁ ଆଖି ଆଗରେ ରଖି ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳକୁ ଅରେଞ୍ଜ ଆଲର୍ଟ ଘୋଷିତ କରାଯାଇଛି ।

ଆଇଏମ୍‌ଡିଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ବେଶି ପ୍ରଭାବ ପଡ଼ିବ । ସମ୍ପୃକ୍ତ ୪ ଜିଲ୍ଲାରେ ଘଣ୍ଟାପ୍ରତି ୧୨୦ରୁ ୧୬୦ କିମି ବେଗରେ ପବନ ବହିପାରେ । ସେହିପରି ବାତ୍ୟା ‘ୟଶ୍’’ ପାଇଁ ରାଜ୍ୟର ୪ଟି ବନ୍ଦରରେ ବିଦ ସଙ୍କେତ ଜାରି କରାଯାଇଛି । ପାରାଦୀପ ଓ ଧାମରା ପାଇଁ ୪ନଂ ବିଦ ସଙ୍କେତ ଜାରି କରାଯାଇଥିବା ବେଳେ ପୁରୀ ଓ ଗୋପାଳପୁର ପାଇଁ ୩ ନଂ ବିଦ ସଙ୍କେତ ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ପାରାଦ୍ୱୀପ ଏବଂ ଧାମରା ପାଇଁ ବିଦପ ସଙ୍କେତ-୪ ଜାରି କରାଯାଇଥିବା ବେଳେ ପୁରୀ ଏବଂ ଗୋପାଳପୁର ପାଇଁ ବିଦପ ସଙ୍କେତ-୩ ଜାରି କରାଯାଇଛି । ବାତ୍ୟା “ୟଶ୍” ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବିଶେଷ କରି କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ,ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ବାତ୍ୟା ‘ୟଶ୍’’ର ପ୍ରଭାବ ଅଧିକ ରହିବ । ଏହାକୁ ଦୃଷ୍ଟିରେ ରଖି ଏହି ୫ ଜିଲ୍ଲାରେ ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ବାତ୍ୟା ପରବର୍ତ୍ତୀ ରିଲିଫ୍‌ କାର୍ଯ୍ୟ ତଦାରଖ ପାଇଁ ରାଜ୍ୟ ସରକାର ୫ ଜଣ ବରିଷ୍ଠ ଆଇଏଏସ୍‌ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱ ହେମନ୍ତ ଶର୍ମାଙ୍କୁ ଦିଆଯାଇଥିବା ବେଳେ ଶାଶ୍ୱତ ମିଶ୍ରଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଭିଭି ଯାଦବ ଓ ବିଶାଳ ଦେବଙ୍କୁ ଯଥାକ୍ରମେ ଭଦ୍ରକ ଓ ବାଲେଶ୍ୱର ଦାୟିତ୍ୱ ଦିଆଯାଇଛି । ସେହିରି ମୟୂରଭଞ୍ଜ ଜିଲ୍ଲା ଦାୟିତ୍ୱ ସୁରେଶ ବଶିଷ୍ଟଙ୍କୁ ଦିଆଯାଇଛି ।

ସେହିପରି ଜିଲ୍ଲା ପୋଲିସକୁ ପରାମର୍ଶ ପାଇଁ ୫ ଆଇପିଏସ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ପୋଲିସକୁ ପରାମର୍ଶ ଓ ମାର୍ଗଦର୍ଶନ କରିବା ପାଇଁ ଆଇପିଏସ୍‌ ଜୟ ନାରାୟଣ ପଙ୍କଜଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଜଗତସିଂହପୁର ପାଇଁ ଅମିତାଭ ଠାକୁର, ଭଦ୍ରକ ପାଇଁ ଅମିତେନ୍ଦ୍ର ନାଥ ସିହ୍ନା, ବାଲେଶ୍ୱର ପାଇଁ ଦୀପ୍ତେଶ ପଟ୍ଟନାୟକ ଓ ମୟୂରଭଞ୍ଜ ପାଇଁ ଆଇପିଏସ୍‌ ଅନିରୁଦ୍ଧ କୁମାର ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି ।

ବାତ୍ୟା ପାଇଁ କୋଭିଡ୍‌ ଟେଷ୍ଟିଂ, ଟିକାକରଣ ଓ ଡୋର ଟୁଡୋର ସର୍ଭେକୁ ସ୍ଥଗିତ ରଖାଯାଇଛି । ବାତ୍ୟା ୟଶ୍’ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ,କେନ୍ଦ୍ରାପଡା, ଜଗତସିଂହପୁର ,ମୟୁରଭଞ୍ଜ ଓ କେନ୍ଦୁଝରରେ ଏହି ସବୁ ସେବା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ବନ୍ଦର ଖିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଏହା ଜଣାଇଛନ୍ତି । ଏଥିସହ କେନ୍ଦ୍ରାପଡା, ଜଗତସିଂହପୁର ଓ କେନ୍ଦୁଝର ଜିଲ୍ଲାରେ ଏହି ସେବା ଗୁଡିକ ବନ୍ଦ ରହିବ କି ନାହିଁ ତାହା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସ୍ଥିତି ଦେଖି ନିଷ୍ପତ୍ତି ନେବେ ବୋଲି ଶ୍ରୀ ମହାପାତ୍ର ଜଣାଇଛନ୍ତି ।

ଅନ୍ୟପଟେ ବାତ୍ୟା ୟାସ ପାଇଁ ମଇ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ହେଲା ବାତିଲ କରିଛନ୍ତି ରାଜ୍ୟ ସରକାର । କୌଣସି କର୍ମଚାରୀ ମୁଖ୍ୟାଳୟ ନ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗୀୟ ଅଧିକାରୀ ଅନୁମତିରେ ଅତି ଜରୁରି ଥିଲେ ଛୁଟି ନେଇପାରିବେ । ସେହିପରି ଛୁଟିରେ ଥିବା ସମସ୍ତ କର୍ମଚାରୀ ତୁରନ୍ତ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏ ସମ୍ପର୍କରେ ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତିରେ କୁହାଯାଇଛି ଯେ, ବାତ୍ୟା ୟଶ୍’ ଦ୍ୱାରା ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲା ଗୁଡିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହି ସମୟରେ ବାତ୍ୟାର ପ୍ରାକ୍‌ ପ୍ରସ୍ତୁତି ଏବଂ ବାତ୍ୟା ପରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁସମସ୍ତ ସରକାରୀ କାର୍ଯ୍ୟାଳୟ ଓ କର୍ମଚାରୀମାନଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଏହି ପରି ପ୍ରେକ୍ଷୀରେ ଆଗାମୀ ୩୧ତାରିଖ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କ ସମସ୍ତ ଛୁଟିକୁ ବାତିଲ କରାଯାଇଛି ।

Get real time updates directly on you device, subscribe now.