ଭୁବନେଶ୍ୱର– ବିବାଦରେ ଡାବୁଙ୍ଗା ବିଧାୟକ ମନୋହର ରନ୍ଧାରୀ । ମଞ୍ଚ ଉପରେ ମାଇକ ପାଇବା ପରେ ଯେମିତି ବିଧାୟକଙ୍କ ଯୌବନର ପ୍ରଥମ ଅବସ୍ଥା ଫେରି ଆସିଲା । ପାଟିରେ ରହିଲାନି ବାଡ ବତା । ସବୁ ମହିଳାଙ୍କୁ କହିଦେଲେ ନିଜର ପ୍ରେମିକା । ଯାହାକୁ ନେଇ ଏବେ ତାତିଛି ବିଜେପି ମହିଳା ଶାଖା । ତୁରନ୍ତ ବିଧାୟକ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି ମହିଳା ଶାଖାର ସଦସ୍ୟା । ଏପରି ନ ହେଲେ ବିଧାୟକଙ୍କ ବିରୋଧରେ ଅଭିଯୋଗ ହେବ ବୋଲି ଦେଇଛନ୍ତି ଚେତାବନୀ ।
ସୂଚନା ମୁତାବକ, ନବରଙ୍ଗପୁର ମଣ୍ଡେଇ ଉତ୍ସବର ଦ୍ୱିତୀୟ ରଜନୀରେ ବିଧାୟକ ଅତିଥିଭାବେ ଆମନ୍ତ୍ରିତ ହୋଇଥିଲେ । ମଞ୍ଚରେ ମାଇକ୍ରୋଫୋନ ପାଇ ସେ ଏମିତି ଉତ୍ସାହିତ ହୋଇଯାଇଥିଲେ କି, ସେଠାରେ ଉପସ୍ଥିତ ସବୁ ମହିଳାଙ୍କୁ ନିଜ ଗାର୍ଲ ଫ୍ରେଣ୍ଡ ବୋଲି କହିଦେଲେ । ଏଥିସହ କାର୍ଯ୍ୟକ୍ରମର ଉପସ୍ଥାପିକାଙ୍କୁ ହିରୋଇନ କହିବା ସହ ତାଙ୍କ ରୂପ, ଲାବନ୍ୟକୁ କବିଟିଏ ପରି ବଖାଣିଲେ । ତାଙ୍କ ଆଖି ହରିଣରେ ଆଖିପରି, ନାକ ସୁଆର ଥଣ୍ଟ ପରି ଓ ଗାଲ ଚିକଣ । ବିଧାୟକଙ୍କ ଭାଷଣ ଶୁଣିଲେ ଲାଗୁଥିଲା ଯେମିତି କେହି ରୋଡ ରୋମିଓ ହାତରେ ପଡିଥିଲା ମାଇକ୍ରୋଫାନ ।
ଏହି ମଣ୍ଡେଇ ଉତ୍ସବ ଅବସରରେ ମଞ୍ଚ ଉପରେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ମଧ୍ୟ ଉପସ୍ଥିତ ଥିଲେ । କାହାକୁ ନଥିଲା ସମ୍ମାନ କି ଭୟ । ଯାହା ମୁହଁକୁ ଆସୁଥିଲା କହିଚାଲିଥିଲେ । ବିଧାୟକଙ୍କ ଏପରି ପ୍ରଳାପକୁ ଦେଖି ଲାଗୁଥିଲା ଯାତ୍ରା ପେଣ୍ଡାଲରେ କୌଣସି ଭିଲିୟାନ ଯେମିତି ନିଜ ଭିତରେ ଲୁଚି ରହିଥିବା ଇଛାକୁ ପରିପ୍ରକାଶ କରୁଛି । ଆଗରୁ ବିଜେଡିରେ ମୁହଁ ବନ୍ଦ କରି ଘର କୋଣରେ ବସୁଥିବା ନେତା ଏବେ ମଞ୍ଚ ଓ ମାଇକ ପାଇଲେ ସନ୍ତୁଳନ ହରାଇ ବସୁଥିବା ପରି ମନେ ହେଉଛି ।
ତେବେ ବିଧାୟକ ଅତି ଉତ୍ଫୁଲ୍ଲିତ ହୋଇ ମହିଳାଙ୍କ ପ୍ରତି ଏମିତି ଶବ୍ଦ ସଂଯୋଜନା କରିବା ପରେ ଏବେ ପଡିଛନ୍ତି ହରଡ ଘଣାରେ । ତାଙ୍କ ବିରୋଧରେ ତେଜିଛି ବିବାଦ । ତାଙ୍କୁ ନେଇ ନବରଙ୍ଗ ପୁରରେ ଚାଲିଛି ଚର୍ଚ୍ଚା । ବିଧାୟକ ମହିଳାଙ୍କ ଅପମାନ କରିଥିବା ଅଭିଯୋଗରେ ବିଜେପି ମହିଳା ସଂଗଠନ ତାଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛି । ଏପରି ନ କଲେ ମହିଳା ସେଲ ମହିଳା କମିଶନରେ ଆବେଦନ କରିବେ ବୋଲି କହିଛନ୍ତି ।