fbpx

ରିଲିଜ୍ ହେଲା ‘ଦମନ’ର ହିନ୍ଦି ଟ୍ରେଲର: ଆସନ୍ତା ମାସରେ ସାରା ଭାରତବର୍ଷରେ ହେବ ଫିଲ୍ମ ରିଲିଜ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ପୁରପଲ୍ଲୀରୁ ଆରମ୍ଭ କରି ସାରା ଭାରତବର୍ଷରେ ଏବେ ‘ଦମନ’ ଫିଲ୍ମକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ଏହା ମଧ୍ୟରେ ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇସାରିଥିବା ବେଳେ ଖୁବଶୀଘ୍ର ସାରା ଭାରତବର୍ଷରେ ଏହି ଫିଲ୍ମ ନୂଆ ରେକର୍ଡ ସ୍ଥାପନ କରିବାକୁ ଯାଉଛି । ଗତବର୍ଷ ନଭେମ୍ବର ମାସ ୪ ତାରିଖରେ ରିଲିଜ୍ ହୋଇଥିବା ‘ଦମନ’ ଫିଲ୍ମ ଆଜି ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଗର୍ବରେ ଫାଟି ପଡ଼ୁଛି ।

ତେବେ ନିକଟରେ ଫିଲ୍ମର ହିନ୍ଦି ଡବିଂର ଟ୍ରେଲର ସର୍ବଭାରତୀୟ ସ୍ତରରେ ରିଲିଜ୍ ହୋଇଥିବା ବେଳେ ଦର୍ଶକ ଫିଲ୍ମର ରିଲିଜ ତାରିଖକୁ ଅତ୍ୟନ୍ତ ଉତ୍ସୁକତାର ସହିତ ଅପେକ୍ଷା କରି ରହିଛନ୍ତି । ଆସନ୍ତା ମାସ ୩ ତାରିଖରେ ସାରା ଭାରତ ବର୍ଷରେ ଅଧିକ ସଂଖ୍ୟକ ହଲରେ ଫିଲ୍ମଟି ରିଲିଜ୍ ହେବ । ‘ଦମନ’ର ହିନ୍ଦି ଭର୍ସନ ଭାରତବାସୀଙ୍କୁ ମଧ୍ୟ ମତୁଆଲା କରିବ ବୋଲି ଫିଲ୍ମର ଅଭିନେତା ବାବୁସାନ ମହାନ୍ତି, ପ୍ରଡ୍ୟୁସର ନିର୍ଦ୍ଦେଶକ, ସଙ୍ଗୀତଜ୍ଞ ଓ ଅନ୍ୟ କଳାକାରମାନେ ଆଶା ରଖିଛନ୍ତି ।

ପାନୋରମା ଷ୍ଟୁଡିଓରେ ହୋଇଥିବା ହିନ୍ଦି ଟ୍ରେଲର ଏହା ମଧ୍ୟରେ ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଅପଲୋଡ୍ ହୋଇଛି । ଫିଲ୍ମର ମୂଳ ପ୍ରଯୋଜନା ସଂସ୍ଥା ଜେପି ମୋସନ ପିକଚର୍ସ ସହିତ ମେଣ୍ଟିସ୍ ଫିଲ୍ମସ ଏହାର ସହଯୋଗୀ ରହିଛନ୍ତି । କୁମାର ମଙ୍ଗତ ପାଠକ ଓ ଅଭିଷେକ ପାଠକ ଫିଲ୍ମର ପ୍ରଯୋନା ଭାର ବହନ କରିଥିବା ବେଳେ ମୂଳ ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି ଦୀପେନ୍ଦ୍ର ସାମଲ । ତେବେ ଫିଲ୍ମକୁ ପୂର୍ବରୁ ଅନେକ ସାଉଥ ଅଭିନେତା ପ୍ରଶଂସା କରିଥିବା ବେଳେ ଏବେ ହିନ୍ଦି ଭର୍ସନର ଟ୍ରେଲର ରିଲିଜ୍ ହେବା ପରେ ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ପରି ଅନେକ ଅଭିନେତା ଏହାକୁ ପ୍ରଶଂସା ନକରି ରହିପାରି ନାହାନ୍ତି ।

ସୂଚନାଯୋଗ୍ୟ ଯେ, ‘ଦମନ’ ସତ୍ୟ କାହାଣୀ ଉପରେ ଆଧାରିତ ଏକ ଫିଲ୍ମ । ଏହି ଫିଲ୍ମକୁ ଦେଶର କୋଣ ଅନୁକୋଣରେ ଥିବା ସମାଜର ପ୍ରତ୍ୟେକ ବର୍ଗର ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି । ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଉପରେ ଓଡ଼ିଶା ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଯୋଜନାକୁ ନେଇ ଏହି ଫିଲ୍ମଟି ପ୍ରସ୍ତୁତ ହୋଇଛି । ଫିଲ୍ମର ସଫଳତା ଦେଖି ରାଜ୍ୟ ସରକାର ଏହି ଚଳଚ୍ଚିତ୍ରର ପ୍ରଦର୍ଶନ ଉପରୁ କର ହଟାଇ ଦେଇଥିଲେ । ଫିଲ୍ମଟି ଇଣ୍ଟରନେଟ ମୁଭି ଡାଟାବେସ (ଆଇଏମଡିବି) ରେଟିଂରେ ସାଉଥ ବ୍ଲକବଷ୍ଟର ଫିଲ୍ମ ଆରଆରଆର ଓ କେଜିଏଫ-୨କୁ ପଛରେ ପକାଇ ଦେଇଥିଲା ।

Get real time updates directly on you device, subscribe now.