fbpx

ବଡ଼ ଖବର; ଆରପାରିରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ: ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଗୋଟିଏ ଯୁଗର ଅବସାନ ଘଟିଛି। ଆଉ ନାହାଁନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି ସମସ୍ତଙ୍କ ପ୍ରିୟ ଦାମ ବାବୁ । ରାଜନୀତି ଜଗତରେ ଛାଇ ଯାଇଛି ଶୋକର ଛାୟା । ସମସ୍ତଙ୍କ ଆଖିରେ ଆଜି ଆଖିଏ ଲୁହ । ୮୩ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ହୃଦଘାତର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟିଛି । ଏ ନେଇ ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି । ଓଡ଼ିଶା ଇତିହାସରେ ଜଣେ ମହାଦ୍ରୁମ ଭାବରେ ପରିଚିତ ଥିଲେ ଦାମୋଦର ରାଉତ ।

ଗତକାଲି ଅଚାନକ ହୃଦଘାତର ଶିକାର ହୋଇଥିଲେ ବିଜୁ ଜନତା ଦଳର ଏହି ବରିଷ୍ଠ ନେତା । ଯାହାପରେ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ ତାଙ୍କ ପୁଅ ସମ୍ବିତ ରାଉତରାୟ । ସେଠାରେ ଅଧିକ କିଛି ଉପକରଣର ନଥିବାରୁ ଦାମଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହୋଇପଡ଼ିଥିଲା । ଠିକ ସମୟରେ ଚିକିତ୍ସା ନମିଳିବାରୁ ବ୍ରେନକୁ ରକ୍ତ ଏବଂ ଅକ୍ସିଜେନ ମିଳିଲା ନାହିଁ । ଯାହା ଫଳରେ ବ୍ରେନ୍ ଡେଡ ହୋଇଯାଇଥିଲା । ତେବେ ଆଜି ସକାଳ ୫.୨୩ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁ ପରେ ଓଡ଼ିଶା ରାଜନୀତିରେ ଗୋଟିଏ ଯୁଗର ଅନ୍ତ ହୋଇଛି ବୋଲି ଆଲୋଚନା ହେଉଛି ।

ଓଡ଼ିଶା ରାଜନୀତିରେ ଜଣେ ମହାନ ନେତା ହେଉଛନ୍ତି ଦାମୋଦର ରାଉତ । ବିଜୁ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟ ମାନଙ୍କ ମଧ୍ୟରୁ ଦାମୋଦର ରାଉତ ହେଉଛନ୍ତି ଜଣେ । ୧୯୭୭ ମସିହାରେ ପ୍ରଥମ ଥର ପାଇଁ ଜନତା ଦଳ ଟିକେଟରେ ସେ ବିଜୟୀ ହୋଇଥିଲେ । ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ଦାମୋଦର ରାଉତ । ପ୍ରଥମେ ବିଧାୟକ ଏବଂ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ଭାବରେ ନିଜର କାର୍ଯ୍ୟ ଉପସ୍ଥାପନ କରିଥିଲେ । ସବୁବେଳେ ସିଧା କଥା କହୁଥିଲେ । ଦାମଙ୍କ ସିଧା କଥା ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହୁଥିଲେ । ଦାମୋଦର ରାଉତ ହେଉଛନ୍ତି ଓଡ଼ିଶା ରାଜନୀତିର ଦ୍ରୋଣାଚାର୍ଯ୍ୟ ।

Get real time updates directly on you device, subscribe now.